ମହୀଶୂର, ଅକ୍ଟୋବର ୦୩ (ଖବର ଓଡ଼ିଶା): କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ କର୍ଣ୍ଣାଟକରେ ୩ ଦିନ ଆୟୋଜିତ ହୋଇଛି । ରବିବାର ମହୀଶୂରର ନଜନଗୁଡସ୍ଥିତ ପ୍ରସିଦ୍ଧ ପୂରାତନ ଶ୍ରୀକାନ୍ତେଶ୍ୱର ସ୍ୱାମୀ ମନ୍ଦିର ଦର୍ଶନ କରିଥିଲେ । ଏହା ପରେ ସନ୍ଧ୍ୟାରେ ସେ ମହୀଶୂରସ୍ଥିତ ଏପିଏମ୍ସି ପଡ଼ିଆରେ ଏକ ରାଲିକୁ ସମ୍ବୋଧିତ କରିଥିଲେ । ଏହାରି ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ମାତ୍ର ରାହୁଲ ଗାନ୍ଧୀ ମଧ୍ୟ ଅନର୍ଗଳ କହୁଥିଲେ । ନିଜର ଭାଷଣକୁ ବନ୍ଦ ରଖି ନ ଥିଲେ । ସେ ଶାସକ ଦଳକୁ ଟାର୍ଗେଟ କରିଥିଲେ । ରାହୁଲ କହୁଥିଲେ ଯେ, ଭାରତକୁ ଯୋଡ଼ିବା ପାଇଁ ଆମକୁ କେହି ଅଟକାଇପାରିବେ ନାହିଁ । ତେବେ ବର୍ଷାଭିଜା ରାହୁଲଙ୍କ ଭାଷଣ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ନଜରକୁ ଆସୁଛି ।
ଭିଡିଓରେ ରାହୁଲ ଗାନ୍ଧୀଙ୍କୁ ବର୍ଷାରେ ରାଲିକୁ ସମ୍ବୋଧିକ କରାଯାଉଥିବା ଦେଖାଯାଇପାରିବ । ଏଥିରେ ସେ କହୁଥିଲେ ଯେ, କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରା ପହଂଚିଛି । ନଦୀ ଭଳି କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ।ଏହି ନଦୀରେ ଆପଣଙ୍କର ଅଂଶଗ୍ରହଣ ରହିବ । କେବଳ ଭାଇଚାରା ଓ ସ୍ନେହ ସଂପର୍କ ରହିବ । ଏହି ଯାତ୍ର ଅଟକିବ ନାହିଁ । ବର୍ଷା ଆସୁଛି, ମାତ୍ର ଯାତ୍ରା ଅଟକି ନାହିଁ । ଗରମ-ଝଡ଼ ଏହି ଯାତ୍ରାକୁ ଅଟକାଇପାରିବ ନାହିଁ ।
ରାହୁଲ ଗାନ୍ଧୀ ନିଜର ଟୁଇଟର ଆକାଉଣ୍ଟରେ ଭିଡିଓ ସେୟାର କରିଛନ୍ତି । ଏଥି ସହିତ ସେ ଏକ କ୍ୟାପଶନରେ ଲେଖିଛନ୍ତି ଯେ, ଭାରତକୁ ଏକଜୁଟ କରିବା ପାଇଁ ଆମକୁ କେହି ଅଟକାଇପାରିବେ ନାହିଁ । ଭାରତର ସ୍ୱର ଉଠାଇବା ପାଇଁ ଆମକୁ କେହି ବନ୍ଦ କରିପାରିବେ ନାହିଁ । କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଯିବୁ । ଏହାରି ଭିତରେ ଆମକୁ କେହି ଅଟକାଇପାରିବେ ନାହିଁ ।