ନୂଆଦିଲ୍ଲୀ, ଅକ୍ଟୋବର ୦୧ (ଖବର ଓଡ଼ିଶା): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ୩ ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । କିନ୍ତୁ କେବଳ ୨ ଜଣଙ୍କ ମଧ୍ୟରେ ମୁଖ୍ୟ ଲଢ଼େଇ ହୋଇପାରେ । ପ୍ରଥମ ବ୍ୟକ୍ତି ହେଲେ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟ ଜଣକ ହେଲେ ଶଶି ଥରୁର । ଯେଉଁଭଳି ପରିସ୍ଥିତିରେ ଖଡ଼ଗେ ନିର୍ବାଚନ ପ୍ରକ୍ରିୟାରେ ପ୍ରବେଶ କରିନ୍ତି, ରାଜନୀତି ପଣ୍ଡିତଙ୍କ ଦାବି ସେ ନିର୍ବାଚନରେ ବିଜୟ ହାସଲ କରିବେ । ଅନ୍ୟପଟରେ ଶଶି ଥରୁର ମଧ୍ୟ ହାଇକମାଣଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ, ଖଡଗେଙ୍କୁ କାହିଁକି ଅଫିସିଆଲ ପ୍ରାର୍ଥୀ ଭାବେ ଦେଖାଯାଉଛି ।
ସୂଚନାଯୋଗ୍ୟ, ଏହି ନିର୍ବାଚନରେ ଗାନ୍ଧୀ ପରିବାରରୁ କେହି ନାହାନ୍ତି । କିନ୍ତୁ ଏହା ସତ୍ୟ ଯେ, ଗାନ୍ଧୀ ପରିବାରର ପସନ୍ଦ ଏଠାରେ ଦେଖାଯିବ । କହିବାକୁ ଗଲେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶୁକ୍ରବାର ମୋଟ ୩ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ବ୍ୟତୀତ ଝାଡ଼ଖଣ୍ଡର କଂଗ୍ରେସ ନେତା କେଏନ୍ ତ୍ରିପାଠୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
କୁହାଯାଉଛି ଯେ, ଗୁରୁବାର ବିଳମ୍ବିତ ରାତିରେ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ଅଧ୍ୟକ୍ଷକଙ୍କୁ ଏକ ବୈଠକ ହୋଇଥିଲା । ଏହା ପରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ୧୦ ଜନପଥକୁ ଡକାଯାଇଥିଲା ଏବଂ ସକାଳୁ ସେ ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ସ୍ପଷ୍ଟ ଜଣାପଡ଼ିଥିଲା । ଗାନ୍ଧୀ ପରିବାରର ସମର୍ଥନରେ ଖଡଗେ କଂଗ୍ରେସର ଅଧ୍ୟକ୍ଷ ହୋଇପାରନ୍ତି ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ମାତ୍ର କଂଗ୍ରେସ ଦାବି କରିଛନ୍ତି ଯେ, ଏମିତି ଲୋକତନ୍ତ୍ର ଆଉ କେଉଁଠି ନାହିଁ । ଯଦିଓ ୩ ଜଣ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି କିନ୍ତୁ ଦୁଇ ଜଣ ନେତାଙ୍କ ମଧ୍ୟରେ ମୁଖ୍ୟ ଲଢ଼େଇ ହେବାର ଅନୁମାନ କରାଯାଉଛି ।