ନୂଆଦିଲ୍ଲୀ, ମେ ୩୦ (ଖବର ଓଡ଼ିଶା): ଭାରତୀୟ ଜନତା ପାଟିଁ (ବିଜେପି) ରାଜ୍ୟସଭା ନିର୍ବାଚନ ଲାଗି ୧୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପ୍ରଥମ ତାଲିକାରେ ଉତ୍ତର ପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଧା ମୋହନ ଅଗ୍ରୱାଲ ସମେତ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରବିବାର ବିଳମ୍ବିତ ସନ୍ଧ୍ୟାରେ ଦ୍ୱିତୀୟ ତାଲିକାରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କର ନାଁ ଘୋଷଣା କରିଛି । ସୂଚନାଯୋଗ୍ୟ, ୫୭ ଆସନ ପାଇଁ ଆସନ୍ତା ଜୁନ୍ ୧୦ ତାରିଖରେ ନିର୍ବାଚନ ହେବ । ମେ’ ୩୧ ତାରିଖରେ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତିଥି ରହିଛି ।
ବିଜେପି ମଧ୍ୟପ୍ରଦେଶରୁ କବିତା ପାଟିଦାର, କର୍ଣ୍ଣାଟକରୁ ନିର୍ମଳା ସୀତାରମଣ ଓ ଜଗେଶ, ମହରାଷ୍ଟ୍ରରୁ ପୀୟୁଷ ଗୋୟଲ ଓ ଡା. ସୁଖେଦେବରାଓ, ରାଜସ୍ଥାନରୁ ଧନଶ୍ୟାମ ତିୱାରୀ, ଉତ୍ତର ପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଅଗ୍ରୱାଲ, ସୁରେନ୍ଦ୍ର ସିଂହ ନାଗର, ବାବୁରାମ ନିଷାଦ, ଦର୍ଶନା ସିଂହ, ସଂଗୀତ ଯାଦବ, ଉତ୍ତରାଖଣ୍ଡରୁ କଳ୍ପନା ସୈନୀ, ବିହାରରୁ ସତୀଶ ଚନ୍ଦ୍ର ଦୁବେ, ଶମ୍ଭୁ ଶରଣ ପଟେଲ ଓ ହରିୟାଣାରୁ କୃଷ୍ଣଲାଲ ପାୱାରଙ୍କୁ ପ୍ରାର୍ଥୀ କରିଛି । ଦ୍ୱିତୀୟ ତାଲିକାରେ ମହାରାଷ୍ଟ୍ରରୁ ଧନଞ୍ଜୟ ମହାଦିକ ଓ ଝାଡ଼ଖଣ୍ଡରୁ ଆଦିତ୍ୟ ସାହୁଙ୍କ ନାମ ଦେଇଛି ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ୧୧ ରାଜ୍ୟସଭା ଆସନରେ ନିର୍ବାଚନ ହେବ । ପାର୍ଟି ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପାର୍ଟି ପୂର୍ବତନ ରାଜ୍ୟ ସଭାପତି ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଟିକେଟ ଦେଇଛି, ଯିଏକି ୨୦୧୪ ଲୋକସଭା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ସଂଗଠନର ଦାୟିତ୍ୱ ନେଇଥିଲେ ।