ନୂଆଦିଲ୍ଲୀ, ମେ ୨୪(ଖବର ଓଡ଼ିଶା): ଦେଶର ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନରେ ହେବାକୁ ଥିବା ନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇବ । ଏଥି ସହିତ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ନାମାଙ୍କନ ପତ୍ର ଦାଖଲ ମେ’ ୩୧ ତାରିଖ ପର୍ଯ୍ୟନ୍ତ କରାଯାଇପାରିବ । ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ଅଧିକ ଭାବେ ୯ଟି ଆସନ ମିଳିପାରେ । କିନ୍ତୁ ସହଯୋଗୀ ଦଳ ଯଦି ସମର୍ଥନ ଦିଅନ୍ତି ତାହେଲେ ଏହା ୧୦ରୁ ୧୧ ହୋଇପାରେ ।
ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରାର୍ଥୀ ଚୟନ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ରାଜ୍ୟସଭା ପାଇଁ ପାର୍ଟିର ସ୍ଥିତି ଅଲଗା । ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିରରେ କଂଗ୍ରେସ ହାଇକମାଣ ରାଜନୀତିକ ସମୀକରଣ କରିଛନ୍ତି । କଂଗ୍ରେସ ୫୦ ପ୍ରତିଶତ ଆସନରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବାକୁ ଘୋଷଣା କରିଛି । ଅନ୍ୟପଟରେ ବରିଷ୍ଠ ନେତାଙ୍କୁ ରାଜ୍ୟସଭା ପଠାଇବାକୁ ଚେଷ୍ଟା କରୁଛି । ତେଣୁ ରାଜ୍ୟସଭାକୁ ନିଜର ପ୍ରାର୍ଥୀ ପଠାଇବା ପାଇଁ ଅଡୁଆ ପରିସ୍ଥିତି ହୋଇପାରେ । ଆହୁରି ମଧ୍ୟ କୁହାଯାଉଛି ଯେ, ଗୋଟିଏ ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ ଅଛନ୍ତି ।