ନୂଆଦିଲ୍ଲୀ, ମେ ୨୦ (ଖବର ଓଡ଼ିଶା): ଜନସାଧାରଣ ଓ କଂଗ୍ରେସ ନେତାଙ୍କ ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା କରିବା ପାଇଁ ସାଂସଦ ରାହୁଲ ଗାନ୍ଧୀ ଦେଶବ୍ୟପୀ ‘ଭାରତ ଜୋଡୋ ଯାତ୍ରା’ କରିବେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଅଭିଯାନ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଜାରି ରହିବ । ଗାନ୍ଧୀ ଜୟନ୍ତୀ ଠାରୁ ଏହି ଅଭିଯାନ ଆରମ୍ଭ ହେବ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବରରେ ଏହି ଘୋଷଣା କରିଛନ୍ତି ।
୫ ମାସ ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ । ମୋଟ ୩୫୦୦ କିଲୋମିଟରର ଏହି ଯାତ୍ରା ହେବ । ଏଥିରେ ତାମିଲନାଡୁ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ସମେତ ଆହୁରି ଅନେକ ରାଜ୍ୟ ଯୋଡ଼ିହେବ । ଯାତ୍ରାରେ ଦଳୀୟ ରାଷ୍ଟ୍ରୀୟ ସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବେ ।
କଂଗ୍ରେସ ୨୦୨୪ର ସାଧାରଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏଥି ପାଇଁ ରାହୁଲ ଗାନ୍ଧୀ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିବେ । ଏହି ଯାତ୍ରାର ଅଧିକାଂଶ ଅଂଶବିଶେଷ ରହିବ ପଦଯାତ୍ରା । ସୂତ୍ର ଅନୁସାରେ ଜି୨୩ ନେତାମାନେ କଂଗ୍ରେସ ପାର୍ଟି ପାର୍ଲିଆମେଣ୍ଟ ଗଠନ ଦାବି କରିଛନ୍ତି । ଉଦୟପୁରରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବିରରେ ଦେଶବ୍ୟାପୀ ୪୦୦ ବରିଷ୍ଠ ଦଳୀୟ ନେତା ଯୋଗଦେଇଛନ୍ତି ।