ବାରାଣସୀ: ନାମାଙ୍କନ ପୂର୍ବରୁ ବିଶାଳ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Khabar Odisha:Politics-BJP-PM-Narendra-Modi-to-hold-mega-roadshow-in-Varanasi-before-filing-nomination

ନୂଆଦିଲ୍ଲୀ, ଏପ୍ରିଲ ୨୨ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ହୋଇ ସାରିଛି । ଆଗାମୀ ଏପ୍ରିଲ ୨୬ରେ ମୋଦୀ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଏଥିପାଇଁ ପ୍ରକ୍ରିୟା ଜୋରଦାର କରି ଦିଆଯାଇଛି । ନାମାଙ୍କନ ପୂର୍ବରୁ ମୋଦୀ ଏକ ବିଶାଳ ରୋଡ ଶୋ’ରେ ଯୋଗଦେବେ । 

ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ ଓ କଂଗ୍ରେସର ଅଜୟ ରାୟଙ୍କ ବିରୋଧରେ ବାରାଣସୀ ଆସନରୁ ବିଜୟୀ ହୋଇଥିଲେ । ନାମାଙ୍କନ ପୂର୍ବରୁ ମୋଦୀ ଏପ୍ରିଲ ୨୫ରେ ରୋଡ ଶୋ’ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୫ ଲକ୍ଷ ବିଜେପି କର୍ମୀ, ନେତା, ସମର୍ଥକ ସାମିଲ ହେବାର ଆଶା ରହିଛି । ରୋଡ ଶୋ’ ପୂର୍ବରୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ନେତା ଜେପି ନଡ୍ଡା, ଲକ୍ଷ୍ମଣ ଆଚାର୍ଯ୍ୟ, ସୁନିଲ ଓଜା ଓ ଆଶାୁତୋଷ ଟଣ୍ଡନଙ୍କୁ ଭେଟିବେ । 

ଦଳୀୟ ବୈଠକ ପରେ ରୋଡ ଶୋ’ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଲଙ୍କା ଗେଟରୁ ଆରମ୍ଭ ହେବ । ଏହି ଅବସରରେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ମୋଦୀ ପୁଷ୍ପମାଲ୍ୟ ଅର୍ପଣ କରିବେ । 

ସଂପୂର୍ଣ୍ଣ ରୋଡ ଶୋ’ରେ ମୋଦୀଙ୍କୁ ୧୫୦ଟି ସ୍ଥାନରେ ସ୍ୱାଗତ କରାଯିବ । ସଂଖ୍ୟାଲଘୁ ସଂପ୍ରଦାୟ ଅଂଚଳ ଯଥା ମଦନପୁରା ଓ ସୋନାରପୁର ଦେଇ ମୋଦୀଙ୍କ ରୋଡ ଶୋ’ ଅତିକ୍ରମ କରିବ । ସନ୍ଧ୍ୟା ୬ଟା ୩୦ରେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆରତୀ ପରେ ରୋଡ ଶୋ’ ଶେଷ ହେବ । ସୂଚନାଯୋଗ୍ୟ ବାରାଣସୀ ଲୋକସଭା ଆସନରେ ଶେଷ ତଥା ୭ମ ପର୍ଯ୍ୟାୟରେ ମେ’ ମାସ ୧୯ରେ ମତଦାନ ହେବ ।

 

  • Tags:

Subscribe

National International State Sports Entertainment