ଆଜି ଓଡ଼ିଶା ଆସୁଛନ୍ତି ମୋଦୀ, ସମ୍ବଲପୁର ଓ ଭୁବନେଶ୍ୱରରେ କରିବେ ସଭା ଓ ରୋଡ ଶୋ’
Khabar Odisha:Politics-BJP-PM-Modi-coming-Odisha-today-for-Sambalpur-and-Bhubaneswar

ଭୁବନେଶ୍ୱର, ଏପ୍ରିଲ ୧୬ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟର ମତଦାନ ପୂର୍ବରୁ ମୋଦୀ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଓ ରାଜଧାନୀ ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ ସଭା’ରେ ଯୋଗଦେବେ। ଭାରତୀୟ ଜନତା ପାର୍ଟିର ସୁପରଷ୍ଟାର ପ୍ରଚାରକ ମୋଦୀ ମତଦାତାଙ୍କୁ ଆକୃଷ୍ଟ କରିବା ପାଇ ଉଦ୍‌ବୋଧନ ଦେବେ। 

ମୋଦୀଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ସୋମବାର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେମେଡ୍‌ ନିକଟରେ ମଙ୍ଗଳବାର ଆୟୋଜନ ହେବାକୁ ଥିବା ସଭାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ  ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଂଗଦେବ, ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଉପସ୍ଥିତ ଥିଲେ।  

ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ଣ ୧୧ଟାରେ ସମ୍ବଲପୁର ଜିଲ୍ଲାର ହୀରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବା ପରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ ଏବଂ ସଭା କରିବେ ବୋଲି ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି। 

ମୋଦୀଙ୍କ ସମ୍ବଲପୁର କାର୍ଯ୍ୟକ୍ରମ ନେଇ ପଶ୍ଚିମ ଓଡ଼ିଶା ଉତ୍ସାହପୂର୍ଣ୍ଣ ଦେଖାଯାଇଛି। ସମ୍ବଲପୁର ସମେତ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଲକ୍ଷାଧିକ ବିଜେପି କାର‌୍ୟ୍ୟକର୍ତ୍ତା, ସମର୍ଥକ ଓ ମୋଦୀଙ୍କ ପ୍ରଶଂସକ ଏକତ୍ର ହେବେ ବୋଲି ଆଶା କରାଯାଉଛି। ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। 

ଅପରାହ୍ଣ ୫ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ପହଂଚିବା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ ଏବଂ ଶିରିପୁର ଛକ ଦେଇ ସିଟି ମହିଳା ମହାବିଦ୍ୟାଳୟ ପାଖରେ ଥିବା ବାମ ପାର୍ଶ୍ୱ ବୁଲି ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଂଚିବେ। ରୋଡ ଶୋ’ ପରେ ବରମୁଣ୍ଡା ପଡ଼ିଆରେ ମୋଦୀ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଅଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଭୁବନେଶ୍ୱର କାର୍ଯ୍ୟକ୍ରମରେ ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଲୋକସଭା ମଣ୍ଡଳୀର ସମସ୍ତ ବିଧାନସଭା ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। 

  • Tags:

Subscribe

National International State Sports Entertainment