ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଦାବିରେ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ନିକଟରେ ପୋଲିସ ବିଜେପି କର୍ମୀ ମୁହାଁମୁହିଁ ଭଦ୍ରକ, ଜାନୁଆରୀ ୦୬(ଖବର ଓଡିଶା): Share story: ଗୁରୁବାର ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ବିଜେପି କର୍ମୀ ଏବଂ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଆସନ ସଂରକ୍ଷଣ ନକରିବାକୁ ବିରୋଧ କରୁଥିବା ବେଳେ ଭଦ୍ରକ ଜିଲ୍ଲା ବିଜେପି ସଦସ୍ୟ ଏବଂ ଜିଲ୍ଲାପାଳ ଅଫିସ ବାହାରେ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଏହି ଘଟଣା ଘଟିଛି। ବିକ୍ଷୋବକାରୀମାନେ ଦାବି କରିଛନ୍ତି ଯେ ବିଜେଡି ନେତୃତ୍ୱାଧୀନ ଓଡିଶା ସରକାର ପଛୁଆ ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି, ଏହି ଅଭିଯୋଗ ନେଇ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଜିଲ୍ଲାପାଳଙ୍କ ଅଫିସରେ ପହଁଞ୍ଚି ଜିଲ୍ଲାପାଳଙ୍କୁ ଭେଟିବାକୁ ଦାବି କରିଥିଲେ। ତେବେ ଜିଲ୍ଲାପାଳଙ୍କ ଅପିସରେ ନିୟୋଜିତ ପୋଲିସ ଅଧିକାରୀ ସେମାନଙ୍କୁ ଅନୁମତି ମନା କରିଦେଇଥିଲେ ଯାହା ପରେ ବିଜେପି ସଦସ୍ୟମାନେ ବ୍ୟାରିକେଡ୍ ଭାଙ୍ଗି ଅଫିସ୍ ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ପୋଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । କିଛି ବିଜେପି କର୍ମି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପଶି ଚେୟାର ଭାଙ୍ଗିଥିବା ଅଭିଯୋଗ ହୋଇଛି । କେତେକ କାର୍ଯ୍ୟକର୍ତ୍ତା ଏପରିକି ଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଏବଂ କାର୍ଯ୍ୟାଳୟ ପରିସରରେ ପାର୍କିଂ ହୋଇଥିବା ଅନେକ ଯାନକୁ ଭଙ୍ଗାରୁଜା କରିଥିଲେ ବୋଲି ପୋଲିସ କହିଛି। ଖବର ପାଇ ଏସପି ଘଟଣାସ୍ଥଳରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚରଣ ସିଂ ମୀନା କହିଛନ୍ତି। ଖବର ଓଡ଼ିଶା, Reporter, 06/01/2022