କୋଲକାତା: ପଶ୍ଚିମବଙ୍ଗରେ ଛଅ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନ ପାଇଁ ଶନିବାର ସକାଳ ୮ଟାରୁ ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡିଂରେ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ ଅଗ୍ରଣୀ ହାସଲ କରିଛି । ସମସ୍ତ ୬ ସିଟରେ ହୋଇଥିବା ଉପ ନିର୍ବାଚନରେ ଟିଏମସି ବିଜୟ ଆଡକୁ ଅଗ୍ରସର ସହ କ୍ଲିନ ସୁଇପ୍ କରିବାକୁ ଯାଉଛି । ଏହି ଫଳାଫଳ ଟିଏମସି ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଆରଜି କର ମେଡିକାଲ୍ କଲେଜ ଘଟଣାରେ ପୂରା ସରକାର ନିନ୍ଦିତ ହୋଇଥିଲା । ସମଗ୍ର ରାଜ୍ୟରେ ଦୀର୍ଘ ସମୟ ଧରି ବିରୋଧ ପ୍ରଦର୍ଶନ ଚାଲିଥିଲା । ସରକାରଙ୍କ ଛବି ମଳିନ ପଡିଥିଲା । କିନ୍ତୁ ଏହି ଉପ ନିର୍ବାଚନ ଫଳାଫଳ ଟିଏମସିକୁ ବଡ ଆଶ୍ୱସ୍ତି ପ୍ରଦାନ କରିବ ।
ପଶ୍ଚିମବଙ୍ଗରେ ସିତାଇ(ଅନୁସୂଚିତ ଜାତି), ମଦାରିହାଟ(ଅନୁସୂଚିତ ଜନଜାତି), ନୈହାଟି, ହରୋଆ, ମେଦିନିପୁର ଓ ତାଳଡାଙ୍ଗରା ବିଧାନସଭା କ୍ଷେତ୍ରରେ ନଭେମ୍ବର ୧୩ରେ ମତଦାନ ହୋଇଥିଲା । ଏହି ସିଟରୁ ନିର୍ବାଚିତ ବିଧାୟକମାନେ ଲୋକସଭା ନିର୍ବାଚନ ଜିତିବାରୁ ଏହି ସବୁ ବିଧାନସଭା ସିଟ୍ ପାଇଁ ଉପ ନିର୍ବାଚନ କରାଯାଇଥିଲା । ମତଦାନ ୬୯.୨୯ ପ୍ରତିଶତ ରହିଥିଲା । ଏଥିରୁ ପାଞ୍ଚ ସିଟ୍ ଦକ୍ଷିଣ ପଶ୍ଚିମବଙ୍ଗରେ ଟିଏମସିର ଗଡ ହୋଇଥିବା ବେଳେ ମଦାରିହାଟ ବିଜେପିର ଗଡ ।
ସିତାଇରେ ଟିଏମସିର ସଙ୍ଗୀତା ରୟ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଦୀପକ କୁମାରଙ୍କଠୁ ୬୦ ହଜାର ୪୯୩ ଭୋଟରେ ଆଗୁଆ ଅଛନ୍ତି । ସଙ୍ଗୀତାଙ୍କୁ ଏ ପର୍ଯ୍ୟନ୍ତ ୭୩ ହଜାର ୪୫୨ ଓ ଦୀପକଙ୍କୁ ମାତ୍ର ୧୨ ହଜାର ୯୫୯ ଖଣ୍ଡ ମିଳିଛି ।
ମଦାରିହାଟ ଆସାନରେ ଟିଏମସିର ଜୟପ୍ରକାଶ ଟପ୍ପୋ ୩୯ ହଜାର ୩୫୩ ଖଣ୍ଡ ଭୋଟ୍ ସହ ଆଗୁଆ ଥିବା ବେଳେ ବିଜେପିର ରାହୁଲ ଲୋହାରଙ୍କୁ ୨୧ ହଜାର ୩୭୫ ଭୋଟ୍ ମିଳିଛି । ୨୦୨୧ ବିଧାନସଭା ନିର୍ବାଚନରେ ଏହି ସିଟରୁ ବିଜେପି ଜିତିଥିଲା ।
ନୈହାଟୀରେ ଟିଏମସିର ସନତ ଡେ ୪୦ ହଜାର ୬୬୩ ଭୋଟ୍ ସହ ଆଗରେ ଥିବା ବେଳେ ବିଜେପିର ପ୍ରାର୍ଥୀ ରୂପକ ମିଶ୍ରଙ୍କୁ ୧୫ ହଜାର ୪୬୧ ଭୋଟ୍ ମିଳିଛି । ହରୋଆରେ ତୃଣମୂଳର ଏସକେ ରବିଉଲ ଇସଲାମ ୪୮ ହଜାର ୧୦୭ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଲ ଇଣ୍ଡିଆ ସେକ୍ୟୁଲାର ଫ୍ରଣ୍ଟର ପିପାରୁଲ ଇସଲାମ ୬ ହଜାର ୪୪୧ ଭୋଟ୍ ସହ ପଛରେ ଅଛନ୍ତି ।
ମେଦିନିପୁରରେ ଟିଏମସିର ସୁଜୟ ହାଜରା ୩୨ ହଜାର ୭୭୭ ଭୋଟ୍ ସହିତ ଆଗରେ ରହିଛନ୍ତି । ବିଜେପିର ସୁଭାଜିତ ରୟଙ୍କୁ ୧୧ ହଜାର ୩୯୮ ଭୋଟ୍ ମିଳିଛି । ରୟଙ୍କୁ ୨୧ ହଜାର ୩୭୯ ଭୋଟ୍ ମିଳିଛି । ତାଳଡାଙ୍ଗରାରେ ଟିଏମସିର ଫାଲଗୁନି ସିଙ୍ଘାବାବୁ ୧୭ ହଜାର ୨୮୦ ମତ ସହିତ ଅଗ୍ରଣୀ ହାସଲ କରିଛନ୍ତି । ସେ ବିଜେପିର ଅନନ୍ୟା ରୟ ଚକ୍ରବର୍ତ୍ତୀଙ୍କଠୁ ୬ ହଜାର ୩୨୪ ଭୋଟରେ ଆଗରେ ଅଛନ୍ତି । ଅନନ୍ୟାଙ୍କୁ ୧୦ ହଜାର ୯୫୬ ଭୋଟ୍ ମିଳିଛି ।