ନୂଆଦିଲ୍ଲୀ: ଇଟା ବାନ୍ଧି ପହଁରିବା ଯେତିକି କଷ୍ଟ, ଠିକ୍ ସେହିପରି କଂଗ୍ରେସ ସହ ମିଶି ନିର୍ବାଚନ ଲଢିବା ସେତିକି କଷ୍ଟ । ଏହି କଥା ୨୦୧୭ରେ ୟୁପିରେ ଅଖିଳେଶ ଯାଦବଙ୍କ ଶୋଚନୀୟ ପରାଜୟ ପରେ ପ୍ରମାଣିତ ହୋଇଥିଲା । ଆଉ ଏହି ସ୍ଥିତିଏବେ ବିହାରରେ ଘଟିଚି । ଏଠାରେ ଆରଜେଡି ସହ ଲଢି ୬୨ ସିଟ୍ ନେଇଥିଲା କଂଗ୍ରେସ । ଆଉ ଆଜି ନିର୍ବାଚନୀ ଫଳାଫଳରେ ଏ ପର୍ଯ୍ୟନ୍ତ କଂଗ୍ରେସ ମାତ୍ର ୬ଟି ସିଟରେ ଅଗ୍ରଣୀ ହାସଲ କରିଛି । ଏହିପରି ଷ୍ଟ୍ରାଇକ ରେଟ୍ ୧୦ ପ୍ରତିଶତରୁ ବି କମ ରହିଛି । ୨୦୧୭ରେ ଉତ୍ତର ପ୍ରଦେଶ ନିର୍ବାଚନରେ କଂଗ୍ରେସ ୧୦୦ ସିଟରେ ନିର୍ବାଚନ ଲଢିଥିଲା ଏବଂ ୭ଟି ସିଟରେ ହିଁ ଜିତି ପାରିଥିଲା । ଏହି ଫଳାଫଳକୁ ନେଇ କୁହାଯାଇଥିଲା ଯେ, କଂଗ୍ରେସ ସହ ମିଶି ନିର୍ବାଚନ ଲଢିବା ସମାଜବାଦୀ ପାର୍ଟିକୁ ମହଙ୍ଗା ପଡିଛି ।
ପୁଣି ୨୦୧୭ରେ ଅଖିଳେଶ ଯାଦବ ନିଜର ରଣନୀତିରେ ପରିବର୍ତ୍ତନ କରିଥିଲେ । ମାତ୍ର ତେଜସ୍ୱୀ ଯାଦବ ୟୁପିରେ ସପାର ଭୁଲରୁ କୌଣସି ଶିକ୍ଷା ପାଇ ପାରିଲେ ନାହିଁ । ୨୦୧୭ର ଅଖିଳେଶ ଯାଦବଙ୍କ ପରି ଭୁଲ୍ ୨୦୨୫ରେ ବିହାରରେ ଦୋହରାଇ ଦେଲେ ତେଜସ୍ୱୀ ଯାଦବ । ୨୦୨୪ ପରଠୁ ଏମିତି ଲଗାତାର ଦେଖିବାକୁ ମିଳିଛି ଯେ, ଯେବେ ବି କଂଗ୍ରେସ ସାମ୍ନାରେ ରହୁଛି ବିଜେପିର ପ୍ରଦର୍ଶନ ଦମଦାର ରହୁଛି । ଏହା ବ୍ୟତୀତ ଆଞ୍ଚଳିକ ଦଳ ସାମ୍ନାରେ ବି କଂଗ୍ରେସ ତିଷ୍ଠି ପାରୁନି । ଏମିତି ସ୍ଥିତିରେ କଂଗ୍ରେସକୁ ଅଧିକ ସିଟ୍ ଦେବା ଆରଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇଛି । ଏହା ବାଦ୍ ମହାମେଣ୍ଟରେ ଦଳଗୁଡିକ ମଧ୍ୟରେ ଉତ୍ତମ ସମନ୍ୱୟ ନ ରହିବାର ପରିଣାମ ଏବେ ଆରଜେଡିକୁ ଭୋଗିବାକୁ ପଡୁଛି ।
ବଡ କଥା ମାତ୍ର ୨୦ ସିଟରେ ନିର୍ବାଚନ ଲଢିଥିବା ବାମପନ୍ଥୀ ଦଳ ଭାକପା-ମାଲେ ୭ଟି ସିଟରେ ଆଗୁଆ ରହିଛି । ଏହା ଦେଖି ଲାଗୁଛି କଂଗ୍ରେସ ନିଜର ପରାଜୟ ସହ ମହାମେଣ୍ଟର ପରାଜୟ ପାଇଁ ସବୁଠୁ ବଡ କାରଣ ପାଲଟିଛି । ଅନ୍ୟପଟେ ଏନଡିଏ ଉପରେ ନଜର ପକାଇଲେ ଅମିତ ଶାହ ଲଗାତାର ପାଟନାରେ ଶିବିର ଟାଙ୍ଗି ବସିଲେ । ତିନି ଦିନ ଧରି ତ ସେ କ୍ୟାମ୍ପରୁ ବାହାରିଲେ ନାହିଁ । ଲଗାତାର ସହଯୋଗୀ ଦଳ ସହିତ ମିଶି ରଣନୀତି କରି ଚାଲିଲେ । ଏହାର ସିଧାସଳଖ ଫାଇଦା ଏବେ ଏନଡିଏକୁ ମିଳୁଛି । ଅନ୍ୟପଟେ ମହାମେଣ୍ଟକୁ ଜୋରଦାର ଝଟକା ଲାଗିଛି । ଖୋଦ ପିଏମ ମୋଦୀ ପ୍ରଚାରର ନେତୃତ୍ୱ ନେଇଥିଲେ । ଅମିତ ଶାହ ୩୬ ରାଲି ଏବଂ ରାଜନାଥ ସିଂ ୨୦ ରାଲି କରିଥିଲେ ।
Also read: ଟିମ୍ ଇଣ୍ଡିଆରେ ଅଭିଷେକ ଶର୍ମା ଓ ନିର୍ବାଚନରେ ଚିରାଗ ପାସୱାନ, ଷ୍ଟ୍ରାଇକ ରେଟ ମାମଲାରେ ଦୁହିଁଙ୍କ ନାହିଁ ଜବାବ