ପାଟନା: ଆଉ କେଇ ଘଣ୍ଟା ପରେ ବିହାର ନିର୍ବାଚନକୁ ନେଇ ଲାଗି ରହିଥିବା ଉତ୍କଣ୍ଠାର ଅନ୍ତ ଘଟିବ । ରାତି ପାହିଲେ ଆରମ୍ଭ ହେବ ଭୋଟ୍ ଗଣତି । ୨୦୨୫ ବିହାର ବିଧାନସଭା ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ମତଦାତାଙ୍କ ମତଦାନ ବିଶେଷ ଉତ୍ସାହଜନକ ରହିଛି । ରାଜ୍ୟର ନିର୍ବାଚନ ଇତିହାସରେ ସର୍ବାଧିକ ମତଦାନ ହୋଇଛି । । ଭୋଟ୍ ଗଣତିରେ ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣନା କରାଯିବ, ତା’ପରେ ସକାଳ ୮:୩୦ରେ ଇଭିଏମ୍ ଭୋଟ୍ ଗଣନା କରାଯିବ। ୩୮ଟି ଜିଲ୍ଲାର ୪୬ଟି କେନ୍ଦ୍ରରେ ଗଣନା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୬ ଏବଂ ୧୧ ତାରିଖରେ ମତଦାନ ହୋଇଥିଲା । ଏଥିରେ ଐତିହାସିକ ୬୭.୧୩ ପ୍ରତିଶତ ମତଦାନ ହୋଇଛି। ଗଣନା ପାଇଁ ରାଜଧାନୀ ପାଟନାର ସମସ୍ତ ସ୍କୁଲ ବନ୍ଦ ରହିବ।
ନିର୍ବାଚନ କମିଶନ କହିଛନ୍ତି ୨୪୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗଣନା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ୨୪୩ ଜଣ ରିଟର୍ଣ୍ଣିଂ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨୪୩ ଜଣ ପର୍ୟ୍ୟବେକ୍ଷକଙ୍କ ସହିତ ଗଣନା କରାଯିବ। ପ୍ରାର୍ଥୀ କିମ୍ବା ସେମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣନା କରାଯିବ। ୪,୩୭୨ଟି ଗଣନା ଟେବୁଲ ବ୍ୟବସ୍ଥା କରାଯାଇଛି। ପ୍ରତି ଟେବୁଲ ପାଇଁ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର ଦାୟିତ୍ୱରେ ରହିବେ । ତାଙ୍କୁ କାଉଣ୍ଟି ଆସିଷ୍ଟାଣ୍ଟ ସହଯୋଗ କରିବେ । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିବେ । ଗଣତି ପ୍ରକ୍ରିୟାକୁ ତଦାରଖ କରିବେ ରିଟର୍ଣ୍ଣିଂ ଅଫିସର ।
ପ୍ରଥମ ପର୍ୟ୍ୟାୟରେ, ତେଜସ୍ୱୀ ଯାଦବ, ସମ୍ରାଟ ଚୌଧୁରୀ, ତେଜ ପ୍ରତାପ ଯାଦବ, ମୈଥିଳୀ ଠାକୁର ଏବଂ ଅନନ୍ତ ସିଂହଙ୍କ ପରି ପ୍ରମୁଖ ନେତା ବର୍ତ୍ତମାନର ସରକାରଙ୍କ ୧୬ ଜଣ ମନ୍ତ୍ରୀଙ୍କ ସହିତ ନିର୍ବାଚନ ମଇଦାନରେ ଥିଲେ। ଦ୍ୱିତୀୟ ପର୍ୟ୍ୟାୟରେ, ସମସ୍ତଙ୍କ ନଜର ଗୟା ଟାଉନ୍, ବେଟିଆ, ଚୈନପୁର, ଚକାଇ, ଅମରପୁର, ଛତାପୁର ଏବଂ ଜାମୁଇ ଭଳି ପ୍ରମୁଖ ନିର୍ବାଚନମଣ୍ଡଳୀ ଉପରେ ରହିଥିଲା । ଏଠାରୁ ପ୍ରେମ କୁମାର, ରେଣୁ ଦେବୀ, ଜାମା ଖାନ, ସୁମିତ କୁମାର ସିଂହ, ଜୟନ୍ତ ରାଜ, ନୀରଜ କୁମାର ସିଂହ ବବଲୁ ଏବଂ ଶ୍ରେୟସୀ ସିଂହଙ୍କ ସମେତ ଅନେକ ପ୍ରମୁଖ ମନ୍ତ୍ରୀ ଏବଂ ବର୍ତ୍ତମାନର ବିଧାୟକ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ନଭେମ୍ବର ୧୪ ତାରିଖରେ ସବୁ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।
ତେବେ ସମସ୍ତ ଏକଜିଟ ପୋଲରେ ବିଜେପି ଓ ଜେଡିୟୁ ନେତୃତ୍ୱାଧୀନ ଏନଡିଏ ସ୍ପଷ୍ଟ ବହୁମତ ସହ ସରକାର ଗଢିବ ବୋଲି ପୂର୍ବାନୁମାନ କରାଯାଇଛି । ଆଉ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟକୁ ମାଟି କାମୁଡିବାକୁ ପଡିପାରେ ବୋଲି ଏକଜିଟ ପୋଲରେ ଭବିଷ୍ୟତବାଣୀ କରାଯାଇଛି । ପ୍ରଥମ ଥର ନିର୍ବାଚନ ମଇଦାନରେ ଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିକୁ ୧୦ଟି ବି ସିଟ୍ ମିଳିବ ନାହିଁ ବୋଲି ଆକଳନ କରାଯାଇଛି ।
Also read: ଆଉ କେଇ ଘଣ୍ଟା ପରେ ନୂଆପଡା ଉପନିର୍ବାଚନ ଫଳାଫଳ, ସକାଳ ୮ଟାରୁ ଭୋଟ୍ ଗଣତି