ପାଟନା: ବିହାର ବିଧାନସଭାର ୨୪୩ ସିଟରେ ଭୋଟ୍ ଗଣତି ଜାରି ରହିଛି । ଏନଡିଏ ୧୯୦ ଓ ମହାମେଣ୍ଟ ୫୦ ସିଟରେ ଆଗୁଆ ଅଛନ୍ତି । ପୁଣି ଥରେ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ପ୍ରଚଣ୍ଡ ବହୁମତ ସହ ସରକାର ଗଢିବାକୁ ଯାଉଛି । ଲୋକ ଜନଶକ୍ତି ପାର୍ଟି(ରାମବିଳାସ)ର ଅଧ୍ୟକ୍ଷ ଚିରାଗ ପାସୱାନ କହିଥିଲେ ଯେ, ଲୋକସଭା ନିର୍ବାଚନରେ ତାଙ୍କ ପାର୍ଟିର ଷ୍ଟ୍ରାଇକ ରେଟ୍ ୧୦୦ ପ୍ରତିଶତ ରହିଛି । ଅର୍ଥାତ ଦଳ ୬ଟି ଲୋକସଭା ସିଟରେ ପ୍ରାର୍ଥୀ ଦେଇଥିଲା ଏବଂ ସମସ୍ତେ ନିର୍ବାଚନ ଜିତିଥିଲେ । ଏଲଜେପି ଝାମୁଇ, ହାଜିପୁର, ବୈଶାଳି, ନୱାଦା, ଖଡକିଆ ଓ ସମସ୍ତିପୁର ଲୋକସଭା ସିଟ୍ ଜିତିଥିଲା ।
ଏଥର ମଧ୍ୟ ଚିରାଗ ଦାବି କରିଥିଲେ ଯେ, ଏଥର ଫଳାଫଳ ସମାନ ରହିବ । ଚଳିତ ବିଧାନସଭା ନିର୍ବାଚନରେ ଏଲଜେପି(ଆର) ୨୯ ସିଟରେ ପ୍ରାର୍ଥୀ ଦେଇଥିଲା । ଆଉ ପାର୍ଟି ବର୍ତ୍ତମାନ ସୁଦ୍ଧା ୨୨ ସିଟରେ ଆଗୁଆ ରହିଛି । ଯଦି ଏସବୁ ପ୍ରାର୍ଥୀ ନିର୍ବାଚନ ଜିତନ୍ତି ତେବେ ତାଙ୍କ ପାର୍ଟିର ଷ୍ଟ୍ରାଇକ ରେଟ୍ ୭୫ ପ୍ରତିଶତ ରହିବ ।
୨୦୨୦ ବିଧାନସଭା ନିର୍ବାଚନରେ ଚିରାଗଙ୍କ ପାର୍ଟି ଏନଡିଏଠୁ ଭିନ୍ନ ହୋଇ ଏକାକୀ ନିର୍ବାଚନ ଲଢିଥିଲା । ଆଉ ଏହାର ପରିଣାମ ପାର୍ଟିକୁ ଭୋଗିବାକୁ ପଡିଥିଲା । ପାର୍ଟି ନିଜ ଦମରେ ୧୩୫ ସିଟରେ ପ୍ରାର୍ଥୀ ଦେଇଥିଲା । ଦଳକୁ ୫.୬୮ ପ୍ରତିଶତ ଅର୍ଥାତ ୨୩.୮୩ ଲକ୍ଷ ଭୋଟ୍ ମିଳିଥିଲା । କିନ୍ତୁ ଦଳ ମାତ୍ର ଗୋଟିଏ ସିଟ୍ ଜିତି ପାରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଚିରାଗ ଏନଡିଏରେ ମିଶିଥିଲେ ଏବଂ ପୁଣି ଥରେ ତାଙ୍କ ପାର୍ଟି ପ୍ରତି ଜନାଦୃଢ ବଢିଥିଲା । ଏହାର ଫଳାଫଳ ୨୦୨୪ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା ।
କ୍ରିକେଟ୍ ମଇଦାନରେ ଅଭିହେଷ ଶର୍ମାଙ୍କ ଷ୍ଟ୍ରାଇକ ରେଟ୍ ଯେମିତି ସବୁଠୁ ଅଧିକ, ଠିକ୍ ସେହିପରି ନିର୍ବାଚନରେ ଚିରାଗଙ୍କ ଷ୍ଟ୍ରାଇକ ରେଟ୍ ଠିକ୍ ସେମିତି ରହିଛି । ପାର୍ଟି ୨୯ ଆସନରେ ପ୍ରାର୍ଥୀ ଦେଇଥିଲା । ସେଥିରୁ ଗୋଟିଏ ସିଟରେ ଭୋଜପୁରୀ ଅଭିନେତ୍ରୀ ସୀମା ସିଂଙ୍କୁ ଟିକେଟ୍ ଦେଇଥିଲା ପାର୍ଟି । କିନ୍ତୁ ତାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିଲା । ଏହିପରି ଭାବେ ଚିରାଗଙ୍କ ପାର୍ଟି ୨୮ ଆସନରେ ନିର୍ବାଚନ ଲଢିଥିଲା । ଏଥିରୁ ୨୨ ପ୍ରାର୍ଥି ଆଗୁଆ ଅଛନ୍ତି ।
Also read: ବିିହାରରେ ନୀତିଶ-ମୋଦୀଙ୍କ ଯାଦୁ, ଏନଡିଏର ସୁନାମୀରେ ଧରାଶାୟୀ ମହାମେଣ୍ଟ, ପିକେ ଓ ଓୱେସୀ