ଦିଲ୍ଲୀ ଏମସିଡିରେ ଚାଲିଲା ଝାଡୁ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆପ୍ ଦେଖାଇଲ ଦମ୍ । ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ୍)କୁ ବିପୁଳ ବିଜୟ ସହ ବହୁମତ ମିଳିଛି। 15 ବର୍ଷ ବିଜେପି ଶାସନରେ ଝାଡୁ ଲଗେଇଲା ଆମ ଆଦମୀ ପାର୍ଟି । 134 ଆସନରେ ବିଜୟ ସହ ଦିଲ୍ଲୀ ଏମସିଡି ଦଖଲକୁ ନେଇଛି ଆମ୍ ଆଦମୀ ପାର୍ଟି ।
ଏମସିଡିର 250 ଆସନରେ 4 ଡିସେମ୍ବର ରବିବାର ଭୋଟ ଗ୍ରହଣ ହୋଇଥିଲା। ଚଳିତ ନିର୍ବାଚନରେ 250 ୱାର୍ଡରେ 1349 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ଗତ 15 ବର୍ଷ ହେଲା ଦିଲ୍ଲୀ ଏମସିଡିକୁ ବିଜେପି ନିଜ ନିୟନ୍ତ୍ରଣରେ ରଖିଥିଲା। ତେବେ ଆଜି ଭୋଟ ଗଣନା ପରେ ଆସୁଥିବା ରିପୋର୍ଟରୁ ଆମ ଆଦମୀ ପାର୍ଟିକୁ ସର୍ବାଧିକ 134ଟି ଆସନ ମିଳିଥିବା ବେଳେ ଏବେ ଏମସିଡିରେ ଆପ୍ର ମେୟର ହେବେ | ପ୍ରଥମରୁ ଉଭୟ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଭୋଟ ଗଣତି ଆଗକୁ ବଢିବା ସହ ଗୋଟିଏ ପରେ ଗୋଟିଏ ଅଧିକ ଆସନ ଆପ୍ ଖାତାରେ ଯୋଡି ହୋଇଥିଲା । ସେହିଭଳି କଂଗ୍ରେସକୁ ମାତ୍ର 9ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ବିଜେପି ଖାତାକୁ 104ଟି ଆସନ ଆସିଛି । ଆଉ ଏହାସହ ମ୍ୟାଜିକ ନମ୍ବର 126 ହାସଲ କରିଛି ଆମ୍ ଆଦମୀ ପାର୍ଟି । ସେପଟେ ବହୁମତ ଠାରୁ ଅଧିକ ସିଟ ପାଇବା ପରେ ଆପ୍ ପାର୍ଟି ଅଫିସରେ ଉତ୍ସବର ମାହୋଲ । ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆପ୍ ବହୁ ମାର୍ଜିନରେ ଜିତିବ ବୋଲି ଜାରି କରିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ଦିଲ୍ଲୀ ଜନତା ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସଞ୍ଜୟ କହିଛନ୍ତି । ଏବେ ନିର୍ବାଚିତ ପ୍ରତିନିଧି ମାନେ ନୂଆ ମେୟର ବାଛିବେ । ଯେହେତୁ ଆପ୍ ବଡ ଦଳ ଭାବେ ଉଭା ହୋଇଛି ତେଣୁ ମେୟର ପଦ ମଧ୍ୟ ଆପ୍ ହାତେଇବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ଦିଲ୍ଲୀ ଏମସିଡି ନିର୍ବାଚନର ଭୋଟ ଗଣନା ପାଇଁ ନିର୍ବାଚନ ଆୟୋଗ ମୋଟ 42ଟି ଭୋଟ ଗଣନା କେନ୍ଦ୍ର ସ୍ଥାପନା କରିଥିଲେ। ଭୋଟ ଗଣନା ଲାଗି 68ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ମୁତୟନ ହୋଇଥିବା ବେଳେ ରିଟର୍ଣ୍ଣିଂ ଅଫିସରମାନଙ୍କ ଦ୍ୱାରା ପ୍ରାର୍ଥୀ ବା ସେମାନଙ୍କ ପ୍ରତିନିଧିଙ୍କ ଆଗରେ ଭୋଟ ଗଣନା କରାଯାଇଥିଲା। 250ଟି ଆସନରୁ ଆପକୁ ସର୍ବାଧିକ 134ଟି ଆସନ ମିଳିଥିବା ବେଳେ ବିଜେପିକୁ 103, କଂଗ୍ରେସ 10 ଓ ସ୍ୱାଧୀନ ପ୍ରାର୍ଥୀମାନେ 3ଟି ୱାର୍ଡରେ ବିଜୟୀ ହୋଇଛନ୍ତି। ଦିଲ୍ଲୀବାସୀ ହିଂସା ଓ ଘୃଣା ରାଜନୀତିକୁ ପସନ୍ଦ କରନ୍ତିନି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି । ମହାନଗର ନିଗମର 250ଟି ଓ୍ବାର୍ଡରେ 1349 ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଦିଲ୍ଲୀର ମିନି ସରକାର ଗଠନ ପାଇଁ ଆପ୍ ସପକ୍ଷରେ ଭୋଟ ଯିବ ବୋଲି ଏକଜିଟ ପୋଲ ସର୍ଭେରୁ ଜଣାପଡ଼ିଥିଲା । ଏଗଜିଟ ପୋଲ କରିଥିବା ଅଧିକାଂଶ ସଂସ୍ଥା ଆମ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଥିବା ରିପୋର୍ଟ କରିଥିଲେ ।