ନୂଆଦିଲ୍ଲୀ: ମଡେଲ୍ ତଥା ଅଭିନେତ୍ରୀ ତ୍ୱିଷା ଶର୍ମାଙ୍କ ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ହୋଇଛି । ଦିଲ୍ଲୀ ଏମ୍ସର ଚାରି ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ଭୋପାଲରେ ପହଁଚି ଶବ ବ୍ୟବଚ୍ଛେଦ କରିଛନ୍ତି । ଏହା ପରେ ଡାକ୍ତରୀ ଦଳ ଦିଲ୍ଲୀ ଫେରି ଯାଇଛନ୍ତି । ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଡ଼ା ସୁରକ୍ଷା ବଳୟ ଭିତରେ ବ୍ୟବଚ୍ଛେଦ କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଜଉ ମୁଦ ଲଫାପାରେ ହାଇକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।
ଅପରପକ୍ଷେ ଆଜି ସନ୍ଧ୍ୟାରେ ତ୍ୱିଷାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ତାଙ୍କ ଭାଇ ହର୍ଷିତ ଶର୍ମା ସୂଚନା ଦେଇଛନ୍ତି । ସନ୍ଧ୍ୟା ୫ଟାରେ ଭଦଭଦା ଶ୍ମଶାନ ଘାଟରେ ତ୍ୱିଷାଙ୍କ ଶବଦାହ କରାଯିବ ।
ତ୍ୱିଷା ଶର୍ମାଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ସାରା ଦେଶକୁ ଦୋହଲାଇ ଦେଇଛି । ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ନିଜସ୍ୱ ଆଡ଼ୁ ମାମଲା ରୁଜୁ କରି ଶୁଣାଣି କରିବାକୁ କହିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ବିପୁଲ ଏମ୍. ପଞ୍ଚୋଲୀଙ୍କ ତିନି ଜଣିଆ ଖଣ୍ଡପୀଠ ସୋମବାର ଦିନ ଶୁଣାଣି କରିବେ ।
ଉଲ୍ଲେଖ ଯୋଗ୍ୟ, ତ୍ୱିଷା ଶର୍ମା ଏବଂ ସମର୍ଥ ସିଂହ ମଧ୍ୟରେ ଡିସେମ୍ବରରେ ବିବାହ ହୋଇଥିଲା । ମେ ୧୨ ରେ ଭୋପାଲର କଟାରା ହିଲ୍ସ ସ୍ଥିତ ଶ୍ୱଶୁର ଘରୁ ତ୍ୱିଷାଙ୍କ ଝୁଲନ୍ତା ମୃତ ଦେହ ମିଳିଥିଲା । ତ୍ୱିଷାଙ୍କ ପରିବାର ଶାଶୁ ଘର ଲୋକଙ୍କ ଉପରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି । ତ୍ୱିଷାଙ୍କ ପରିବାର ସ୍ୱାମୀ ସମର୍ଥ ସିଂହ ଏବଂ ତାଙ୍କ ମାଆ ଗିରିବାଳା ସିଂହଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ।
ଏହା ସହିତ ପରିବାର ଲୋକେ ତ୍ୱିଷାଙ୍କର ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାକୁ କୋର୍ଟ ଗ୍ରହଣ କରି ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ । ସେପଟେ ସ୍ୱାମୀ ସମର୍ଥ ଜବଲପୁର କୋର୍ଟରେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଛନ୍ତି ।