ବିଗୁଲ ବାଜିବା ମାତ୍ରେ ଫଡ଼ଣବିସଙ୍କ ଦୃଢୋକ୍ତି, ପୁଣି ଥରେ ହେବି ମୁଖ୍ୟମନ୍ତ୍ରୀ, ସାଥୀରେ ରହିବ ଶିବସେନା
Khabar Odisha:politics-odisha-maharashtra-cm-devendra-fadnavis-confirmed-his-candidature-of-cm-if-nda-comes-in-power
ମୁମ୍ବାଇ,ସେପ୍ଟେମ୍ବର୨୧(ଖବର ଓଡ଼ିଶା):

ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନର ବିଗୁଲ ବାଜିବା ମାତ୍ରେ ରାଜନୈତିକ ଦଳଗୁଡ଼ିକ ଏବେ ନିଜ ନିଜର ବିଜୟକୁ ନେଇ ବୟାନ ଦେବା ଆରମ୍ଭ କରିଛନ୍ତି। ନିର୍ବାଚନୀ ତାରିଖ ଘୋଷଣା ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଆଶା ପ୍ରକାଶ କରିଛନ୍ତି। ଶିବସେନା ସହିତ ମେଣ୍ଟକୁ ନେଇ ମତଭେଦ ଉପରେ ସେ କହିଛନ୍ତି ଯେ ଆମେ ନିଶ୍ଚିତ ରୂପେ ଏକାଠି ମିଶି ନିର୍ବାଚନ ଲଢିବୁ।  

ଉଲ୍ଲେଖଯୋଗ୍ୟ ଶିବସେନା ଏ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ବିଜେପି ସହିତ ସମାନ ଆସନରେ ନିର୍ବାଚନ ଲଢିବାକୁ ଅଡ଼ି ବସିଥିଲା ମାତ୍ର ଏବେ ୧୨୬ ସିଟରେ ଲଢିବାକୁ ରାଜି ହେଉଥିବା ଦେଖିବାକୁ ମିଳିଛି। ସୂତ୍ର ମୁତାବକ ବିଜେପି କୋଟାକୁ ୧୬୨ ଆସନ ଯାଇପାରେ, କିନ୍ତୁ ଅନ୍ୟ ଛୋଟ ସହଯୋଗୀକୁ ମଧ୍ୟ ବିଜେପି ନିଜ  କୋଟାରୁ ଆସନ ଦେବ। ଗୋଟିଏ ପଟେ ଦେବେନ୍ଦ୍ର ଫଡ଼ଣବିସ୍ ପୁଣି ଥରେ କ୍ଷମତାକୁ ଆସିବେ ବୋଲି କହିଥିବା ବେଳେ ଅନ୍ୟ ପଟେ କଂଗ୍ରେସର କହିବା କଥା ଜନତା ବିଜେପିକୁ କ୍ଷମତାରୁ  ବେଦଖଲ କରିବାକୁ  ପ୍ରସ୍ତୁତି କରୁଛନ୍ତି। 

କଂଗ୍ରେସ ମୁଖପାତ୍ର ପବନ ଖେଡ଼ା କହିଛନ୍ତି ଯେ, ମହାରାଷ୍ଟ୍ରରେ ଚାଷୀ ସମସ୍ୟାରେ ପେଶି ହେଉଛି। ଆତ୍ମହତ୍ୟା ଏବେ ବିକଟାଳ ରୂପ ନେଇଛି। ସେମାନେ ରାଜ୍ୟରେ ସରକାର ପରିବର୍ତ୍ତନ ଅପେକ୍ଷାରେ ଅଛନ୍ତି। ହରିୟାଣାରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସେଠାରେ ମଧ୍ୟ ଜନତା ବିଜେପିକୁ ବାହାରର ରାସ୍ତା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି। 

ଶୀଘ୍ର ହେବ ଆସନ ଘୋଷଣା

କୁହାଯାଉଛି ଯେ ବିଜେପି ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇପାରେ। ଆଦିତ୍ୟ ଠାକରେ ନିର୍ବାଚନ ଲଢିବା ଉପରେ ମୁଖ୍ୟମନ୍ତ୍ରୀ ଫଡଣବିସ କହିଛନ୍ତି ତାଙ୍କର ରାଜନୀତିରେ ପ୍ରବେଶକୁ ମୁଁ ସ୍ଵାଗତ କରୁଛି। ଏହା ଶିବସେନା ପାଇଁ ଏକ ସକରାତ୍ମକ ପଦକ୍ଷେପ। ଶନିବାର ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଫଡଣବିସ ବିଜେପି ଓ ଶିବସେନା ସମ୍ବନ୍ଧକୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତର ଖୋଲାଖୋଲି ଦେଇଥିଲେ। ସର୍ବ ପ୍ରଥମେ ସେ ଗୋଟିଏ ପ୍ରଶ୍ନର ଉତ୍ତରରେ ସ୍ପଷ୍ଟ କରିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନ ବିଜେପି ଓ ଶିବସେନା ଏକାଠି ମିଶି ଲଢିବେ। ଦୁଇ ଦଳ ମଧ୍ୟରେ ଶୀଘ୍ର ଆସନ ଭାଗବଣ୍ଟା ହେବ ବୋଲି ସେ କହିଥିଲେ।

Subscribe

National International State Sports Entertainment