ଦୀର୍ଘ ୭ ଘଣ୍ଟାର ଅପେକ୍ଷା ପରେ ଅରବିନ୍ଦ କେଜ୍ରିଓ୍ଵାଲ ନୂଆଦିଲ୍ଲୀ ଆସନରୁ ଦାଖଲ କଲେ ନାମାଙ୍କନ ପତ୍ର
Khabar Odisha:politics-odisha--delhi-cm-and-aap-candidate-from-new-delhi-constituency-arvind-kejriwal-file-nomination-after-long-wait
ନୂଆଦିଲ୍ଲୀ, ଜାନୁଆରୀ୨୧(ଖବର ଓଡ଼ିଶା):

ସାତ ଘଣ୍ଟାର ଲମ୍ବା ଅପେକ୍ଷା ପରେ ଶେଷରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଦିଲ୍ଲୀର ଜାମନଗର ହାଉସରେ ନୂଆଦିଲ୍ଲୀ ଆସନରୁ ନାମାଙ୍କନ ଭରିଛନ୍ତି। ମାତ୍ର ଆମ୍ ଆଦମୀ ପାର୍ଟି(ଆପ୍)ର ସଂୟୋଜକ ତଥା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ନାମାଙ୍କନ ଦାଖଲ ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ସୋମବାର ନିଜ ରୋଡ଼ ଶୋଭାଯାତ୍ରାରେ ଅସମ୍ଭାଳ ଭିଡ଼ କାରଣରୁ ବିଳମ୍ବରେ ପହଞ୍ଚିବାରୁ ସେ ନାମାଙ୍କନ ଦାଖଲ କରି ପାରିନଥିଲେ। 

ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବାର ଥିଲା ଶେଷ ଦିନ। କେଜ୍ରିଓ୍ଵାଲ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଜାମନଗର ହାଉସରେ ରିଟର୍ଣ୍ଣିଂ ଅଫିସର ଦପ୍ତର ପହଞ୍ଚିଥିଲେ। ସେଠାରେ ସମସ୍ତ ସ୍ଵାଧୀନ ପ୍ରାର୍ଥୀ ନିଜର ପାଳିକୁ ଅପେକ୍ଷା କରିଥିଲେ। ମାତ୍ର କେଜ୍ରିଓ୍ଵାଲ ନିଜ ପାଳିକୁ ଅପେକ୍ଷା ନକରି ସିଧାସଳଖ କେନ୍ଦ୍ର ଭିତରକୁ ପଶି ଯାଇଥିଲେ। ତାଙ୍କର ଟୋକନ ନମ୍ବର ୪୫ ଥିଲା। ତାଙ୍କ ପୂର୍ବରୁ ଥିବା ଟୋକନଧାରୀ ସ୍ଵାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ପାଇଁ ନିଜ ପାଳିକୁ ଅପେକ୍ଷା କରିଥିଲେ। ସେମାନେ କେଜ୍ରିଓ୍ଵାଲଙ୍କୁ ପାଳି ଅପେକ୍ଷା ନକରି ଭିତରକୁ ପଶିଯିବାକୁ କଡ଼ା ବିରୋଧ କରିଥିଲେ।

ବହୁ ସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ କାରଣରୁ କେଜ୍ରିଓ୍ଵାଲଙ୍କୁ ନାମାଙ୍କନ ଦାଖଲ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାକୁ ନେଇ ଉପମୁଖମନ୍ତ୍ରୀ ମନୀଷ ସିସୋଦିଆ ସିଧାସଳଖ ବିଜେପିକୁ ଦୋଷ ଦେଇଥିଲେ। କେଜ୍ରିଓ୍ଵାଲଙ୍କ ନାମାଙ୍କନ ପତ୍ର ଦାଖଲକୁ ରୋକିବା ପାଇଁ ବିଜେପି ଜାଣିଶୁଣି ଷଡ଼ଯନ୍ତ୍ର ରଚିଥିବା ସେ ଆରୋପ ଲଗାଇଥିଲେ। 

ସିସୋଦିଆ ଅରୋପ  ଲଗାଇ କହିଛନ୍ତି ଯେ, ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ କେଜ୍ରିଓ୍ଵାଲ ଯେମିତି ପତ୍ର ଦାଖଲ କରି ପାରିବେ ନାହିଁ, ଏଥିପାଇଁ ବିଜେପି ୪୫ ସ୍ଵାଧୀନ ପ୍ରାର୍ଥୀଙ୍କୁ ଧାଡ଼ିରେ ଛିଡ଼ା କରାଇଦେଲା। ସେ ଟ୍ଵିଟ୍ କରି ଶାଣିତ ସ୍ଵରରେ ବିଜେପିକୁ  ହମଲା କରି କହିଛନ୍ତି ଯେ, ବିଜେପିବାଲା ଯେତେ ଷଡ଼ଯନ୍ତ୍ର କଲେ ମଧ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନା ନାମାଙ୍କନ ପତ୍ର ଦାଖଲରେ ରୋକି ପାରିବ ନା ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାରେ ରୋକି ପାରିବ। ତୁମର ଏହି ଷଡ଼ଯନ୍ତ୍ର ସଫଳ ହେବ ନାହିଁ।

Subscribe

National International State Sports Entertainment