ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରଖାନାରେ ଭେଟିଛନ୍ତି । ଭୁଟାନରୁ ଫେରିବା ପରେ ମୋଦି ସିଧାସଳଖ ଲୋକନାୟକ ଜୟ ପ୍ରକାଶ ହସ୍ପିଟାଲ ଯାଇ ପୀଡ଼ିତଙ୍କୁ ସାକ୍ଷାତ କରିଛନ୍ତି । ମୋଦି ପୀଡ଼ିତଙ୍କ ସହିତ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ସୋସିଆଲ୍ ମିଡ଼ିଆରେ ଏକ୍ସରେ ପୋଷ୍ଟ କରି ପୁଣି ଥରେ ନିଜ ମନ୍ତବ୍ୟ ଦୋହରାଇଛନ୍ତି ଯେ ଏହି ଷଡ଼ଯନ୍ତ୍ରରେ ଥିବା ପୀଡ଼ିତଙ୍କୁ ନ୍ୟାୟ ଦିଆଯିବ ।
ଗତକାଲି ପ୍ରଧାନମନ୍ତ୍ରୀ ଦିନିକିଆ ଭୁଟାନ ଗସ୍ତରେ ଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମ ସମ୍ବୋଧିତ କରିବା ଅବସରରେ ଚେତାବନୀ ଦେଇଥିଲେ । ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଛି । ପରିବାରର ଦୁଃଖକୁ ବୁଝୁଛି । ଆଜି ସାରା ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି । ତଦନ୍ତକାରୀ ସଂସ୍ଥା ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ । ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ା ଯିବ ନାହିଁ ବୋଲି କଡ଼ା ଶବ୍ଦରେ ଷଡ଼ଯନ୍ତ୍ରକାରୀଙ୍କୁ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ପ୍ରକାଶ ଯୋଗ୍ୟ, ଦିଲ୍ଲୀ କାର୍ ବିସ୍ଫୋରଣରେ ଏଯାବତ୍ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ମୃତ ୧୦ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ପରିଚୟ ମିଳିଥିବାବେଳେ ୨ ଜଣଙ୍କର ମିଳି ପାରିନାହିଁ । ସମସ୍ତ ମୃତକଙ୍କ ନିକଟ ସମ୍ପର୍କୀୟ ପାଇଁ ଦିଲ୍ଲୀ ସରକାର ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।