ନୂଆଦିଲ୍ଲୀ: ଚଳିତବର୍ଷ ମେ ମାସରେ ହୋଇଛି ରେକର୍ଡ ସଂଖ୍ୟକ ବର୍ଷା, ଯାହା ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି । ୧୯୦୧ ମସିହା ପର ଠାରୁ ୨୦୨୫ ଯାଏଁ ଚଳିତବର୍ଷ ମେ ମାସରେ ସବୁଠାରୁ ଅଧିକ ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ମୂତାବିକ, ଗତ ମାସରେ ଦେଶରେ ହାରାହାରି ୧୨୬.୭ ମିମି ବର୍ଷା ରେକର୍ଡ ହୋଇଛି । ଏନେଇ ଆଇଏମଡ଼ି ଏକ୍ସ ମାଧ୍ୟମରେ ସୂଚନା ଦେଇଛି ।
ଆଇଏମଡ଼ି କହିବା ମୁତାବିକ, ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ ଭାରତ ପହଞ୍ଚିଥିବାରୁ ଏହାର ପ୍ରଭାବରେ ମେ’ ମାସରେ ଦକ୍ଷିଣ ଏବଂ ପୂର୍ବ ଭାରତରେ ନିରନ୍ତର ବର୍ଷା ହୋଇଥିଲା, ଯାହାଫଳରେ ବର୍ଷା ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି। ମେ’ ମାସରେ ସାରା ଭାରତର ହାରାହାରି ମାସିକ ବର୍ଷା ୧୨୬.୭ ମିଲିମିଟର ରହିଥିଲା, ଯାହା ମେ’ ମାସର ସ୍ବାଭାବିକ ବର୍ଷା ୬୧.୪ ମି.ମି. ଅପେକ୍ଷା ୧୦୬% ଅଧିକ ରହିଥିଲା।
ମେ’ ମାସରେ କେନ୍ଦ୍ରୀୟ ଭାରତରେ ୧୦୦.୯ ମି.ମି. ହାରାହାରି ବର୍ଷା ରେକର୍ଡ ହୋଇଛି, ଯାହା ମଧ୍ୟ ୧୯୦୧ ଠାରୁ ସର୍ବାଧିକ। ଦକ୍ଷିଣ ଉପଦ୍ୱୀପ ଭାରତରେ ମେ’ ମାସର ହାରାହାରି ବର୍ଷା ୧୯୯.୭ ମିଲିମିଟର ରହିଛି, ଯାହା ଦ୍ୱିତୀୟ ସର୍ବାଧିକ। ୧୯୯୦ ମସିହା ମେ’ ମାସରେ ଦକ୍ଷିଣ ଉପଦ୍ୱୀପ ଭାରତର ହାରାହାରି ବର୍ଷା ୨୦୧.୪ ମିଲିମିଟର ରହିଥିଲା। ସେହିପରି ଗତ ମେ’ ମାସରେ ଉତ୍ତର-ପଶ୍ଚିମ ଭାରତର ହାରାହାରି ବର୍ଷା ୪୮.୧୧ ମିଲିମିଟର ରହିଛି। ୨୦୦୧ ପରଠାରୁ ଉତ୍ତର-ପଶ୍ଚିମ ଭାରତରେ ଚତୁର୍ଥ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ଆଇଏମଡ଼ି କହିଛି।