ନୂଆଦିଲ୍ଲୀ: ଦିଲ୍ଲୀ କାର୍ ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥା ପ୍ରତି ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଏହାରି ମଧ୍ୟରେ ଆଉ ଏକ ସମସ୍ୟା ବଢ଼ିଛି । ବିସ୍ଫୋରଣରେ ବ୍ୟବହୃତ ହୁଣ୍ଡାଇର ଧଳା ରଙ୍ଗର ଆଇ-୨୦ କାର୍ ପରେ ଏବେ ଆଉ ଏକ କାର୍ ସନ୍ଦେହ ଘେରକୁ ଆସିଛି ।
ଆଇ-୨୦ ସହିତ ଏକ ନାଲି ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ କାର ଠାବ କରାଯାଇଛି । କାରର ନମ୍ବର ରହିଛି ଡିଏଲ୍୧୦ସିକେ୦୪୫୮ (DL10CK0458), ୨୦୧୭ ନଭେମ୍ବର ୨୨ରେ ରଜୌରୀ ଗାର୍ଡେନ ଆରଟିଓରେ ଉମର୍ ଉନ ନବୀ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଉକ୍ତ କାର ପଞ୍ଜିକରଣ ହୋଇଛି ।
ଦିଲ୍ଲୀ ପୋଲିସ ଉକ୍ତ କାରକୁ ନେଇ ତଲାସି ଅଭିଯାନ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ 5ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସମସ୍ତ ଚେକପୋଷ୍ଟକୁ ମଧ୍ୟ ସଜାଗ କରାଯାଇଛି । ଉତ୍ତର ପ୍ରଦେଶ ଏବଂ ହରିୟାଣା ପୋଲିସକୁ ମଧ୍ୟ ସୂଚିତ କରାଇଦିଆଯାଇଛି । ନିକଟସ୍ଥ ସମସ୍ତ ଟୋଲ୍ ଗେଟ୍ ଗୁଡ଼ିକରେ ଯାଞ୍ଚକୁ ଜୋରଦାର କରାଯାଇଛି । ଏହି ଉମର ନବୀ ଉର୍ଫ ଉମର ମହମ୍ମଦ ନାମରେ କିଣା ଯାଇଛି । ଉମର୍ ଏହି କାରକୁ କିଣିବାକୁ ଜାଲ୍ ପ୍ରମାଣ ପତ୍ର ଦେଇଛି । ଉତ୍ତର ପୂର୍ବ ଦିଲ୍ଲୀର ଏକ ଘରର ଠିକଣା ଦେଇଛି । ଦିଲ୍ଲୀ ପୋଲିସ ସେଠାରେ ମଧ୍ୟ ଚଢ଼ଉ କରିଛି ।
ଏହି ସମୟରେ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଫରିଦାବାଦର ଜଣେ କାର୍ ଡିଲରଙ୍କୁ ଅଟକ ରଖିଛି। ଦିଲ୍ଲୀ ଏବଂ ଆଖପାଖ ରାଜ୍ୟର ସମସ୍ତ ବ୍ୟବହୃତ କାର୍ ଡିଲରଙ୍କୁ ସାମ୍ପ୍ରତିକ ଯାନବାହାନ ବିକ୍ରୟର ବିବରଣୀ ସଂଗ୍ରହ ଏବଂ ସେୟାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫରିଦାବାଦର ସେକ୍ଟର ୩୭ରେ ଥିବା ରୟାଲ୍ କାର୍ ପ୍ଲାଜାର ମାଲିକ ଅମିତଙ୍କୁ ଫରିଦାବାଦ ପୋଲିସ ସହାୟତାରେ ଅଟକ ରଖାଯାଇଛି ।