ବେଙ୍ଗାଲୁରୁ: ସାରା ଦେଶରେ ଏବେ ଜଣଙ୍କ ଚର୍ଚ୍ଚା ଅତୁଲ ସୁବାଷ । ଯିଏ ଆତ୍ମହତ୍ୟା କରିବା ପୂର୍ବରୁ ଆମ ନ୍ୟାୟ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇ ଦେଇଯାଇଛନ୍ତି । ଗୋଟିଏ ଛାଡ଼ପତ୍ର ପାଇଁ ସେ କେତେଥର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି, ତାଙ୍କୁ କେତେ ମାନସିକ ନିର୍ଯ୍ୟାତନା ଦିଆଯାଇଛି ଗୋଟି ଗୋଟି କରି ସବୁକିଛି ଭିଡ଼ିଓ ଓ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟରେ କହିଛନ୍ତି । ସବୁବେଳେ ମହିଳାଙ୍କୁ ନ୍ୟାୟ ଦେବା କଥା କହୁଥିବା ସମାଜ ଯେମିତି ପୁରୁଷଙ୍କ ପାଇଁ ମୂକ ଓ ବଧିର ପାଲଟି ଯାଇଛି, ତାହା ଅତୁଲଙ୍କ ଘଟଣାରୁ ଜଣା ପଡ଼ିଛି ।
• ପତ୍ନୀ ମାଗିଲେ ୩ କୋଟି କ୍ଷତିପୂରଣ
• ବିଚାରପତି ମାଗିଲେ ଲାଞ୍ଚ
• ଦୁଇ ବର୍ଷରେ ମିଳିଲା ୧୨୦ଟି ତାରିଖ, ତଥାପି ମିଳିଲାନି ନ୍ୟାୟ
• ଗୋଟିଏ ବର୍ଷରେ ଆସିଛନ୍ତି ୪୦ ଥର କୋର୍ଟ
୨୦୧୯ରେ ବିହାରର ଅତୁଲ ସୁବାଷ ଉତ୍ତର ପ୍ରଦେଶର ନିକିତା ସିଙ୍ଘାନିଆଙ୍କୁ ବିବାହ କରିଥିଲେ । ବିବାହରୁ ଦୁଇ ବର୍ଷ ପରେ ନିକିତା ଅତୁଲଙ୍କ ଉପରେ ଯୌନ ଉତ୍ପୀଡ଼ନ ଓ ଯୌତୁକ ଭଳି ଅନେକ ଅଭିଯୋଗ କରିଛନ୍ତି । ସେ କର୍ଣ୍ଣାଟକର ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର୍ ଭାବେ କାମ କରନ୍ତି । ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କ ନିର୍ଯ୍ୟାତନା ଓ ନ୍ୟାୟ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇ ସେ ନିଜର ଜୀବନ ହାରିଛନ୍ତି । ମାତ୍ର ତାଙ୍କର ଦେଢ଼ ଘଣ୍ଟାର ଶେଷ ଭିଡ଼ିଓ ଓ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ ସମସ୍ତଙ୍କୁ ବିଚଳିତ କରିଛି । ଅତୁଲ ଭିଡ଼ିଓରେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଛାଡ଼ପତ୍ର ପାଇଁ ୧ କୋଟି ଟଙ୍କା ଦାବି କରିଥିଲେ, କିନ୍ତୁ ପରେ ୩ କୋଟି ଦାବି କଲେ । ଏମିତିକି ପୁଅକୁ ମଧ୍ୟ ଦେଖିବାକୁ ଦେଲେନି । ତାଙ୍କ ଶ୍ୱଶୁରଙ୍କ ମୃତ୍ୟୁ ପାଇଁ ତାଙ୍କ ନାଁରେ ଏତଲା ମଧ୍ୟ ଦେଲେ ।
ଖାଲି ସେତିକି ନୁହେଁ ବିଚାରପତିଙ୍କ ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଅତୁଲ । ମାମଲାର ରଫାଦଫା କରିବାକୁ ଫ୍ୟାମିଲି କୋର୍ଟର ବିଚାରପତି ତାଙ୍କୁ ୫ ଲକ୍ଷ ଟଙ୍କା ମାଗିଛନ୍ତି ବୋଲି ସେ ସଙ୍ଗୀନ ଆରୋପ ଲଗାଇଛନ୍ତି । ଶୁଣାଣୀ ତାରିଖ ଦେବାକୁ ମଧ୍ୟ ତାଙ୍କୁ ଲାଞ୍ଚ ଦେବାକୁ ପଡ଼ୁଥିଲା ।
ସେ ଆହୁରି କହିଛନ୍ତି ଯେଉଁ ଟଙ୍କା ସେ ନିଜ ପାଇଁ ରୋଜଗାର କରୁଛନ୍ତି ସେହି ଟଙ୍କା କେମିତି ତାଙ୍କ ପାଇଁ ଆଜି କାଳ ସାଜିଛି । ସେହି ଟଙ୍କାରେ ସେ ତାଙ୍କ ଶତ୍ରୁଙ୍କୁ ବଳ ଦେଉଛନ୍ତି । ମୋ ଟଙ୍କା ପାଇଁ ମୋତେ ହିଁ ବରବାଦ କରିଦେଇଛି । ମୋ ଟିକସ ପଇସାରେ ଏ ପୁଲିସ ଓ ସମ୍ପୂର୍ଣ୍ଣ ସିଷ୍ଟମ୍ ମୋ ପରିବାରକୁ ହଇରାଣ କରୁଛି । ଯଦି ମୁଁ ବଞ୍ଚିବି ନାହିଁ ତାହାହେଲେ ନା ଟଙ୍କା ଥିବା ନା ମୋ ବାପା-ମାଆ ଏବଂ ମୋ ଭାଇକୁ କେହି ହଇରାଣ କରିବେ ।
ଦୁଇ ବର୍ଷ ମାମଲାରେ ୧୨୦ଟି ତାରିଖ
ନିକିତାଙ୍କ ତରଫରୁ ଅତୁଲଙ୍କ ବିରୋଧରେ ନିମ୍ନ ଅଦାଲତରେ ୬ଟି ଏବଂ ହାଇକୋର୍ଟରେ ୩ଟି ମାମଲା ରୁଜୁ କରାଯାଇଥିଲା । ନିକିତାଙ୍କ ତରଫରୁ ମାସିକ ୨ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ସେ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ଅତୁଲଙ୍କୁ ୪୦ ହଜାର ଟଙ୍କା ଦେବାକୁ ପଡୁଥିଲା। ଅତୁଲ କହିଛନ୍ତି ମାମଲାର ଶୁଣାଣୀ ପାଇଁ ତାଙ୍କୁ ୧୨୦ଟି ତାରିଖ ମିଳିଛି, କିନ୍ତୁ ସମାଧାନ ହୋଇପାରିଲା ନାହିଁ । କମ୍ପାନୀରୁ ବର୍ଷକୁ ମାତ୍ର ୨୩ଟି ଛୁଟି ମିଳୁଥିବାବେଳେ କେସ୍ ପାଇଁ ସେ ୪୦ ଥର ଛୁଟି ନେଇକି ବେଙ୍ଗାଲୁରୁ ଜୌନପୁର କୋର୍ଟକୁ ଆସିଛନ୍ତି । ସେ କହିଛନ୍ତି ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ତାଙ୍କ ଅସ୍ଥି ବିସର୍ଜନ କରିବ ନାହିଁ । ଯଦି ନ୍ୟାୟ ନ ମିଳେ ତେବେ ଅସ୍ଥିକୁ କୋର୍ଟ ବାହାରେ ଥିବା ନାଳରେ ଭସାଇ ଦେବ । ତାଙ୍କ ବୃଦ୍ଧା ବାପା-ମାଆ ଏବଂ ଭାଇକୁ ଆଉ ହଇରାଣ ନ କରିବାକୁ ସେ ଅଦାଲତକୁ ଭିଡ଼ିଓ ମାଧ୍ୟମରେ ଗୁହାରୀ କରିଛନ୍ତି ।
ଅତୁଲଙ୍କ ମାତା-ପିତା କହିଛନ୍ତି ଯେ ତାଙ୍କ ପତ୍ନୀ ଗୋଟିଏ ଗୋଟିଏ ପରେ ଅଭିଯୋଗ ଆଣୁଥିଲା । ସେ ବହୁତ ନିରାଶ ହୋଇଛି, କିନ୍ତୁ ଆମକୁ କେବେ କିଛି ଅନୁଭବ କରିବାକୁ ଦିଏନି । ଆତ୍ମହତ୍ୟା କରିବା ପୂର୍ବରୁ ତା ସାନ ଭାଇ ପାଖକୁ ଖାଲି ଏକ ମେଲ୍ ପଠାଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସୋମବାର ୯ ତାରିଖ ସକାଳେ ବେଙ୍ଗାଲୁରୁର ଭଡ଼ା ଘରୁ ତାଙ୍କର ମୃତ ହେଦ ଜବତ କରାଯାଇଥିଲା । ସେ ଫ୍ୟାନ୍ ରେ ଝୁଲି ଜୀବନ ହାରିଥିଲେ ।