ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପରେ ଫରିଦାବାଦ ଆତଙ୍କୀ ମଡ୍ୟୁଲର ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ଆତଙ୍କୀ ଚେନରେ ୬ ଜଣ ଡାକ୍ତର ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଡାକ୍ତର ଫରିଦାବାଦସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ।
ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ମହିଳା ଡାକ୍ତର ଶାହୀନ, ଡାକ୍ତର ମହମ୍ମଦ ଉମର ଓ ଡାକ୍ତର ମୁଜାମ୍ମିଲ ସାକିଲ୍ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ ଚାକିରୀ କରୁଥିଲେ । ଏମାନେ ବରିଷ୍ଠ ଡାକ୍ତର ଥିଲେ । ଦିଲ୍ଲୀ ବିସ୍ଫୋରଣ ପରେ ଫରିଦାବାଦ ପୋଲିସ ବିଶ୍ୱବିଦ୍ୟାଳୟର ୫୨ ଜଣଙ୍କୁ ଘନ ଘନ ଜେରା କରିବା ପରେ ୬ ଜଣଙ୍କୁ ଉଠାଇ ନେଇଛି । ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଏବଂ ଆଉ କିଛି ରିସର୍ଚ୍ଚ ସ୍କଲାର୍ସ ରହିଛନ୍ତି । ପୋଲିସ ଆହୁରି ଖୋଳତାଡ଼ ଜାରି ରଖିଛି ଯେ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ।
ବିଶ୍ୱବିଦ୍ୟାଳୟରେ ୧୧ ଦିନ ଥିଲା ଆଇ-୨୦ କାର୍
ସେହିପରି ଦିଲ୍ଲୀ ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ଆଇ-୨୦ କାର୍ ବିଶ୍ୱବିଦ୍ୟାଳୟ ପରିସରରେ ୧୧ ଦିନ ଧରି ଛିଡ଼ା ହୋଇଥିଲା । ଅକ୍ଟୋବର ୨୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପାର୍କିଂ ଥିଲା । ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଅକ୍ଟୋବର ୨୯ ତାରିଖ ଦିନ ହିଁ ଏହି କାର୍ କିଣାଯାଇଥିଲା । ଆଉ ତୁରନ୍ତ ହିଁ ପ୍ରଦୂଷଣ ପ୍ରମାଣପତ୍ର (ପିୟୁସି) ପ୍ରସ୍ତୁତ କରାଯାଇଥିଲା । ସିସିଟିଭି ଫୁଟେଜରେ ତିନି ଜଣ ବ୍ୟକ୍ତି ଏହି କାର ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ୧୦ ନଭେମ୍ବର ସକାଳେ ଡାକ୍ତପ ଉମର କାରଟିକୁ ଅତି ବ୍ୟସ୍ତ ବିବ୍ରତ ହୋଇ ନେଇ ଆସୁଥିବାରୁ ମଧ୍ୟ ସିସିଟିଭିରେ ଦେଖାଯାଇଥିବା ତଦନ୍ତ ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ।
‘ଅଲ୍-ଫଲାହ’ ଶବ୍ଦର ଅର୍ଥ କ’ଣ ?
ତେବେ ଏଥିରେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି ‘ଅଲ୍-ଫଲାହ’ ଶବ୍ଦର ଅର୍ଥ କ’ଣ ? କାହିଁକି ବିଶ୍ୱ ବିଦ୍ୟାଳୟର ନାମ ଏପରି ରଖାଯାଇଛି ? ‘ଅଲ୍-ଫଲାହ’ ଏକ ଆରବୀ ଭାଷା । ଯାହା ଇସଲାମ ଧର୍ମରେ ବହୁତ ଗୁରୁତ୍ୱ ବହନ କରେ । ଏହାର ଆକ୍ଷରିକ ଅର୍ଥ ହେଉଛି- ସଫଳତା, ସମୃଦ୍ଧି, କଲ୍ୟାଣ, ମୁକ୍ତି ଏବଂ ସୁଖ-ଶାନ୍ତି । ‘ଫଲାହ’ ଶବ୍ଦର ଅର୍ଥ କଟିବା, ଫସଲ କରିବା ବା ସମ୍ବର୍ଦ୍ଧନା କରିବା । ଅନ୍ୟପକ୍ଷରେ ଇସଲାମ ଧର୍ମରେ ଏହି ଶବ୍ଦକୁ ମନୁଷ୍ୟ ଉପରେ ବ୍ୟବହାର କରାଯାଇଥାଏ । ଏହା ମଣିଷ ମଧ୍ୟରେ ଥିବା କ୍ଷମତାକୁ ବିକଶିତ କରି ଜୀବନରେ ସଫଳତା ପ୍ରାପ୍ତି କରିବା ମଧ୍ୟ ବୁଝାଇଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ଯିଏ ଆଲ୍ଲାଙ୍କ ମାର୍ଗରେ ଚାଲେ ତା ଜୀବନରେ ମୁକ୍ତି ଆସେ ଏବଂ ସିଏ ସଫଳତା ମଧ୍ୟ ପାଇଥାଏ । ‘ଅଲ୍-ଫଲାହ’ ଶବ୍ଦକୁ ଇସଲାମ ଧର୍ମର ‘ଅଜାନ’ରେ ବ୍ୟବହୃତ ହୋଇଛି । ଅଜାନରେ କୁହାଯାଇଛି, ହ୍ୟା ଅଲଲ-ଫଲାହ, ଅର୍ଥ ସଫଳତା ଦିଗକୁ ଆସ ।