ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବଢୁଥିବା ବୈଶ୍ୱିକ ଉତ୍ତେଜନା ଓ ଆମେରିକା-ନାଟୋର ତୀବ୍ର ବିରୋଧ ସତ୍ତ୍ୱେ ଚଳିତ ବର୍ଷ ଶେଷ ଆଡକୁ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ପୁଟିନ ଭାରତ ଆସୁଛନ୍ତି । ୨୦୨୧ ପରେ ପ୍ରଥମ ଥର ନୂଆଦିଲ୍ଲୀରେ ଏହି ଶିଖର ସମ୍ମିଳନୀ ଆୟୋଜିତ ହେଉଛି । ଏହି ଯାତ୍ରା ଏମିତି ସମୟରେ ହେଉଛି ଯେତେବେଳେ ଆମେରିକା ଓ ନାଟୋରେ ସାମିଲ ଦେଶଗୁଡିକ ରୁଷ ଉପରେ ଲଗାତାର କଟକଣା ବଢାଇବାରେ ଲାଗିଛନ୍ତି । ରୁଷ ସହ ପ୍ରତିରକ୍ଷା ଓ ଉର୍ଜା ସହଯୋଗ ଉପରେ ପୁନଃର୍ବିଚାର କରିବା ପାଇଁ ମଧ୍ୟ ଭାରତ ଉପରେ ଚାପ ପକାଯାଉଛି ।
ସୂତ୍ର ଅନୁସାରେ ଏହି ସମ୍ମିଳନୀରେ ପ୍ରତିରକ୍ଷା ଉଦ୍ୟୋଗରେ ସହଯୋଗ, ଉର୍ଜା କ୍ଷେତ୍ରରେ ଭାଗିଦାରୀ, ଆଣବିକ ଉର୍ଜା ସହଯୋଗ, ଆର୍କଟିକ କ୍ଷେତ୍ରରେ ଭାରତର ଭୂମିକାର ବିସ୍ତାର ଓ ହାଇଟେକ୍ ସେକ୍ଟରେ ମିଳିତ ରୋଡମ୍ୟାପ ଉପରେ କାମ କରିବା ଆଦି ପ୍ରସଙ୍ଗ ନେଇ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ନିକଟରେ ପୁଟିନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧକ୍ରମେ ରୁଷ ଭାରତକୁ ଉର୍ବରକ ରପ୍ତାନୀ ବଢାଇଥିଲା । ଏଥିରେ ଭାରତର ଖାଦ୍ୟ ସୁରକ୍ଷାକୁ ବଳ ମିଳିଥିଲା । ଏହା ବାଦ୍ ଭାରତ ଓ ରୁଷ ମଧ୍ୟରେ ନୂତନ ଆଣବିକ ପ୍ଲାଣ୍ଟର ଦ୍ୱିତୀୟ ସ୍ଥାନକୁ ଅନ୍ତିମ ରୂପ ଦେବାର ପ୍ରକ୍ରିୟା ଉପରେ ମଧ୍ୟ ଆଲୋଚନା ହେବ ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗୁରୁବାର କହିଥିଲେ ଭାରତ-ରୁଷ ଶିଖର ସମ୍ମିଳନୀ ବେଶ ମହତ୍ୱପୂର୍ଣ୍ଣ ରହିଛି । ଗତ ଥର ମସ୍କୋରେ ଏହି ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏବେ ଭାରତରେ ଏହାର ଆୟୋଜନ ହେଉଛି । କେଉଁ ତାରିଖରେ ଏହି ସମ୍ମିଳନୀ ଆୟୋଜିତ ହେବ ତାହା ଦୁଇ ଦେଶ ପରସ୍ପର ସହମତିରେ ସ୍ଥିର କରିବେ ।
ଆମେରିକା ଓ ନାଟୋକୁ କାହିଁକି ଆପତ୍ତି ?
ଋୁଷ ବିରୋଧରେ ପାଶ୍ଚାତ୍ୟ ଦେଶଗଡିକର କଟକଣା ସତ୍ତ୍ୱେ ଭାରତ ରୁଷଠୁ ତେଲ ଆମଦାନୀ ଓ ପ୍ରତିରକ୍ଷା କ୍ଷେତ୍ରରେ ଭାଗିଦାରୀ ଜାରି ରଖିଛି । ଆମେରିକା ଚାହୁଁଛି ଭାରତ ରୁଷଠୁ ଦୂରେଇ ରହୁ, ବିଶେଷ କରି ଉଚ୍ଚ ପ୍ରଯୁକ୍ତିବିଦ୍ୟା ଓ ସାମରିକ ମାମଲାରେ ଉଭୟ ଦେଶ ମଧ୍ୟରେ କୌଣସି କାରବାର ନ ହେଉ । ଅନ୍ୟପଟେ ନାଟୋ ଏହାକୁ ନେଇ ଚିନ୍ତିତ ଯେ, ଭାରତର ଏହି ଆଭିମୁଖ୍ୟ ଜି୭ ଓ ପାଶ୍ଚାତ୍ୟ ଦେଶର ରଣନୀତିକୁ ଦୁର୍ବଳ କରିପାରେ । ତେବେ ଭାରତ ସ୍ପଷ୍ଟ କରି ଦେଇଛି ଯେ, ଭାରତ ନିଜର ବିଦେଶ ନୀତି ସ୍ୱତନ୍ତ୍ର ଭାବେ ସ୍ଥିର କରିଥାଏ । ରୁଷ ଏକ ପୁରୁଣା ଓ ଭରସାଯୋଗ୍ୟ ସହଯୋଗୀ ।