ମୁମ୍ବାଇ: ଯଦି ପତ୍ନୀ ନିଜ ସ୍ୱାମୀଙ୍କୁ ସାଙ୍ଗମାନଙ୍କ ସାମ୍ନାରେ ଅପମାନିତ କରନ୍ତି, ସ୍ୱାମୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରନ୍ତି ଏବଂ ଅଯଥା ପରକୀୟା ପ୍ରୀତିର ଅଭିଯୋଗ ଆଣନ୍ତି ତେବେ ଏହି ଆଚରଣକୁ କ୍ରୁରତା କୁହାଯିବ । ହିନ୍ଦୁ ବିବାହ ଅଧିନିୟମ ଆଧାରରେ ଏହା ଛାଡପତ୍ରର ଆଧାର ହେବ । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ ।
ବିଚାରପତି ରେବତି ମୋହିତେ ଡେରେ ଓ ବିଚାରପତି ନୀଲା ଗୋକଲେଙ୍କ ପୀଠ ଗୁରୁବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଅଦାଲତ ଜଣେ ମହିଳାଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ, ଯିଏ ପୁଣେର ଫ୍ୟାମିଲି କୋର୍ଟଙ୍କ ୨୦୧୯ ନଭେମ୍ବରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ପୁଣେର ଫ୍ୟାମିଲି କୋର୍ଟ ନିଜ ନିଷ୍ପତ୍ତିରେ ସ୍ୱାମୀଙ୍କୁ ଛାଡପତ୍ର ନେବାର ଅନୁମତି ପ୍ରଦାନ କରିଥିଲେ ।
ଏହି ଦମ୍ପତ୍ତିଙ୍କ ବିବାହ ୨୦୧୩ରେ ହୋଇଥିଲା । ମାତ୍ର ଗୋଟିଏ ବର୍ଷ ଭିତରେ ପରସ୍ପର ମତଭେଦ କାରଣରୁ ଦୁହେଁ ଅଲଗା ହୋଇଥିଲେ । ୨୦୧୫ରେ ମହିଳା ନିଜର ସ୍ୱାମୀ ଓ ଶ୍ୱଶୁରଙ୍କ ବିରୋଧରେ ଥାନାରେ ଏଫଆଇଆର ଦେଇଥିଲେ । ମହିଳା ଜଣକ ମାନସିକ ନିର୍ଯ୍ୟାତନା, ସଂପତ୍ତି ହଡପ କରିବା ଓ ଘରୁ ବାହାର କରିଦେବା ପରି ସଙ୍ଗୀନ ଅଭିଯୋଗ ଲଗାଇଥିଲେ ।
୍ଣହଲେ ପରେ ମହିଳା ଜଣକ ଫ୍ୟାମିଲି କୋର୍ଟରେ ବିବାହକୁ ଜାରି ରଖିବା ପାଇଁ ଆବେଦନ କରିଥିଲେ । ସେ କହିଥିଲେ ଯେ, ବୈବାହିକ ଜୀବନକୁ ସମାପ୍ତ କରିବାକୁ ଚାହାନ୍ତି ନାହିଁ । ଏହାର ବିପରୀତ ସ୍ୱାମୀ କ୍ରୁରତା ଓ ପରିତ୍ୟାଗ ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ।
ସ୍ୱାମୀ ଅଦାଲତରେ କହିଥିଲେ ଯେ, ପତ୍ନୀ କେବଳ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରୁ ନ ଥିଲେ, ତା ସହ ବନ୍ଧୁମାନଙ୍କ ସାମ୍ନାରେ ଅପମାନ ମଧ୍ୟ କରୁଥିଲେ । ତାଙ୍କ ବିରୋଧରେ ମିଥ୍ୟା ପରକୀୟା ପ୍ରୀତିର ଅଭିଯୋଗ ଲଗାଇଥିଲେ । ସ୍ୱାମୀ ଏହା ମଧ୍ୟ ଅଭିଯୋଗ କରିଥିଲେ. ତାଙ୍କ ପତ୍ନୀ ମୋ ଦିବ୍ୟାଙ୍ଗ ଭଉଣୀ ସହ ଅମାନବୀୟ ବ୍ୟବହାର କରୁଥିଲେ । ସବୁ ପକ୍ଷ ଶୁଣିବା ପରେ ପୁଣେ ଫ୍ୟାମିଲି କୋର୍ଟ ସ୍ୱାମୀଙ୍କୁ ଛାଡପତ୍ର ନେବାର ଅନୁମତି ପ୍ରଦାନ କରିଥିଲେ ।
ଏହା ପରେ ମହିଳା ଜଣକ ନିମ୍ନ କୋର୍ଟଙ୍କ ଏହି ରାୟକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏବେ ବମ୍ବେ ହାଇକୋର୍ଟରୁ ମଧ୍ୟ ମହିଳାଙ୍କୁ ଝଟକା ଲାଗିଛି । କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।