ରାହୁଲ କେଜ୍ରିଙ୍କୁ ଦେଲେ ୪ ସିଟର ଅଫର, କହିଲେ ମେଣ୍ଟ ପାଇଁ ଦ୍ଵାର ଏବେ ବି ଖୋଲା ରହିଛି
Khabar Odisha:Politics-odisha-rahul-gandhi-offers-4-seats-to-aap-in-delhi-for-alliance
ନୂଆଦିଲ୍ଲୀ,ଏପ୍ରିଲ୧୫(ଖବର ଓଡ଼ିଶା):

ଦିଲ୍ଲୀରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ସମ୍ଭାବିତ ମେଣ୍ଟ ଏକ ବୁଢିଆଣି ଜାଲ ପରି ରହି ଯାଇଛି। ମେଣ୍ଟକୁ ନେଇ ଦୁଇ ପାର୍ଟି ମଧ୍ୟରେ ହଁ ନା ହଁ ନା ଲାଗି ରହିଛି। ଏହା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆପ୍ ସମ୍ମୁଖରେ ଏକ ପ୍ରସ୍ତାବ ଦେଇଛନ୍ତି। ୭  ସିଟ୍ ବିଶିଷ୍ଟ ଦିଲ୍ଲୀରେ ଆପକୁ କଂଗ୍ରେସ ୪ଟି ସିଟ୍ ଦେବାକୁ ପ୍ରସ୍ତାବ ଦେଇଛି। ରାହୁଲ କହିଛନ୍ତି ଯେ, ଆମେ ମେଣ୍ଟ ପାଇଁ ପ୍ରସ୍ତୁତ , ମାତ୍ର ଆପ୍ ଉପରେ ଏହା ନିର୍ଭର କରେ। 

ମୋଦୀ ଓ ଶାହାଙ୍କୁ ରୋକିବା ପାଇଁ ସବୁ ବଳିଦାନ ଦେବା ପାଇଁ ପ୍ରସ୍ତୁତ କେଜ୍ରିଓ୍ଵାଲଙ୍କ ଏହି ବୟାନର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଟ୍ଵିଟ୍ କରି କହିଛନ୍ତି ଯେ, ମେଣ୍ଟ ପାଇଁ ଦ୍ଵାର ଏବେ ମଧ୍ୟ ଖୋଲା ରହିଛି। ରାହୁଲ ଗାନ୍ଧୀ ଟ୍ଵିଟ୍ କରିଛନ୍ତି ଯେ,  ଦିଲ୍ଲୀରେ କଂଗ୍ରେସ ଓ ଆପ୍ ମଧ୍ୟରେ ମେଣ୍ଟର ଅର୍ଥ ବିଜେପିର ଜବରଦସ୍ତ ପରାଜୟ। କଂଗ୍ରେସ ଏହାକୁ ସୁନିଶ୍ଚିତ କରିବା ପାଇଁ ଆପକୁ ୪ଟି ସିଟ୍ ଦେବାକୁ ଚାହୁଁଛି। ମାତ୍ର କେଜ୍ରିଓ୍ଵାଲ ୟୁଟର୍ଣ୍ଣ ନେଉଛନ୍ତି ! ମେଣ୍ଟ ପାଇଁ ଆମର ଦ୍ଵାର ଏବେ ମଧ୍ୟ ଖୋଲା ରହିଛି, ମାତ୍ର ହାତରେ ସମୟ ବହୁତ କମ ରହିଛି। ରାହୁଲ ଟ୍ଵିଟ୍ ସହିତ ଅବ ଆପ କି ବାରି ହ୍ୟାସଟ୍ୟାଗ୍ ମଧ୍ୟ ଲଗାଇଛନ୍ତି। 

ବିଜେପିକୁ ରୋକିବା ପାଇଁ ଦିଲ୍ଲୀରେ କଂଗ୍ରେସ ଓ ଆପ୍ ମଧ୍ୟରେ ମେଣ୍ଟକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଛି। ଆପ୍ ମେଣ୍ଟ ପାଇଁ କଂଗ୍ରେସଠୁ ପଞ୍ଜାବ ଓ ହରିୟାଣାରେ ମଧ୍ୟ କିଛି ସିଟ୍ ମାଗୁଛି। ମେଣ୍ଟ ହେବା ସ୍ଥିର ହୋଇ ଯାଇଥିଲା, କେବଳ ଘୋଷଣା ବାକି ଥିଲା। ମାତ୍ର ପେଞ୍ଚ ରହି ଯାଇଥିଲା। 

ମେଣ୍ଟକୁ ନେଇ ରାହୁଲ ଗାନ୍ଧୀଙ୍କ ଟ୍ଵଟର ଜବାବରେ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଟ୍ଵିଟ୍  କରିଛନ୍ତି। ଟ୍ଵିଟରେ ସଞ୍ଜୟ ଏହା ଇସାରା କରୁଛନ୍ତି ଯେ, କଂଗ୍ରେସ ଦିଲ୍ଲୀ ବ୍ୟତୀତ ପଞ୍ଜାବ ଓ ହରିୟାଣାରେ ମଧ୍ୟ ଆପକୁ ସିଟ୍ ଦେଉ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟରେ ମେ ୧୨ରେ ମତଦାନ ହେବ। ଏଥିପାଇଁ ଏପ୍ରିଲ ୧୬ରୁ ନାମାଙ୍କନ ଆରମ୍ଭ ହୋଇଯିବ। ଏପ୍ରିଲ ୨୩ ହେଉଛି ନାମାଙ୍କନ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ। 

  • Tags:

Subscribe

National International State Sports Entertainment