ଏନଡିଏ ବୈଠକରେ ଆଜି ମୋଦୀଙ୍କ ନାମରେ ଲାଗିବ ମୋହର, ଏହି ସବୁ ରାଜ୍ୟରୁ ନୂତନ ଚେହେରାଙ୍କୁ ମିଳିପାରେ ପୁରସ୍କାର
Khabar Odisha:Politics-odisha-after-loksabha-election-bjp-parliamentary-board-meeting-today
ନୂଆଦିଲ୍ଲୀ,ମେ୨୫(ଖବର ଓଡ଼ିଶା):

ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଶନିବାର ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ହେବାକୁ ଯାଉଛି। ଏହି ବୈଠକରେ ନବ ନିର୍ବାଚିତ ସାଂସଦ ଔପଚାରିକ ରୂପେ ନରେନ୍ଦ୍ର ମୋଦୀଙ୍କୁ ଦଳର ନେତା ଭାବେ ଚୟନ କରିବେ। ସନ୍ଧ୍ୟା ୫ଟାରେ ସଂସଦର ସେଣ୍ଟ୍ରାଲ ହଲରେ ଏହି ବୈଠକ ହେବ। ଏହା ପୂର୍ବରୁ ବିଜେପି ସାଂସଦ ପରସ୍ପର ମଧ୍ୟରେ ସାକ୍ଷାତ କରିବେ। ଏହି ସମୟରେ ମୋଦୀ ବିଜେପି ସାଂସଦକୁ ସମ୍ବୋଧିତ କରି ପାରନ୍ତି। 

ଏହି ବୈଠକ ପରେ ନରେନ୍ଦ୍ର ମୋଦୀ ସହଯୋଗୀ ଦଳର ନେତାଙ୍କ ସହିତ ମଧ୍ୟ ଆଲୋଚନା କରିବେ। ଏନେଇ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ଏଲଜେପିର ରାମବିଳାସ ପାସଓ୍ଵାନ ସମେତ ଏନଡିଏର ସମସ୍ତ ନେତା ଆଜି ଦିଲ୍ଲୀ ପହଞ୍ଚୁଛନ୍ତି। ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ପରେ ଶୁକ୍ରବାର ସନ୍ଧ୍ୟାରେ ପିଏମ ନରେନ୍ଦ୍ର ମୋଦୀ ମନ୍ତ୍ରିପରିଷଦ ସହିତ ଇସ୍ତଫା ଦେଇଛନ୍ତି। ପିଏମ ମୋଦୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ରାଷ୍ଟ୍ରପତି ଇସ୍ତଫା ସ୍ଵୀକାର କରିବା ସହିତ ନୂତନ ସରକାର ଗଠନ ହେବା ପର୍ୟ୍ୟ ନ୍ତ କାର୍ୟ୍ୟବଭାର ସମ୍ଭାଳିବାକୁ ପିଏମ ମୋଦୀ ଓ ମନ୍ତ୍ରିମଣ୍ଡଳକୁ ପରାମର୍ଶ ଦେଇଛନ୍ତି। ଏହାକୁ ପିଏମ ମୋଦୀ ସ୍ଵୀକାର କରିଛନ୍ତି। ଏବେ ଶପଥ ନେବା ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ରହିବେ। 

ନୂତନ ଚେହେରାଙ୍କୁ ମିଳିବ ସୁଯୋଗ

ବିଜେପିର ବରିଷ୍ଠ ନେତା କହିଛନ୍ତି ଯେ, ପଶ୍ଚିମବଙ୍ଗ, ଓଡ଼ିଶା ଓ ତେଲଙ୍ଗାନାରୁ ନିର୍ବାଚିତ ନୂତନ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ଯେଉଁ ରାଜ୍ୟରୁ ବିଜେପିକୁ ଅଧିକ ସଫଳତା ମିଳିଛି ସେଠାରୁ ନିର୍ବାଚିତ ଲୋକଙ୍କୁ ପୁରସ୍କାର ମିଳିପାରେ। ଅନେକ ଯୁବ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି। କାରଣ ବିଜେପି ହାଇକମାଣ୍ଡ ନୂତନ ଚେହେରାକୁ ନେଇ ଦଳକୁ ଆହୁରି ମଜବୁତ କରିବାକୁ ଚାହୁଁଛି। 

ଏନଡିଏକୁ ୩୫୧ ସିଟ୍

ଉଲ୍ଲେଖଯୋଗ୍ୟ ଏନଡିଏ ୨୦୧୪ ନିର୍ବାଚନ ତୂଳନାରେ ୨୦୧୯ରେ ଅଧିକ ସିଟରେ ଆସନ ଜିତି ଇତିହାସ ରଚିଛି। ବିଜେପି ଏକାକୀ ଦମରେ ୩୦୩ ଆସନ ଜିତିବା ସହ ଏନଡିଏ ମୋଟ୍ ୩୫୧ ଆସନ ଜିତିଛି। ଅନ୍ୟ ପଟେ କଂଗ୍ରେସ ୫୨ଟି ସିଟରେ ସୀମିତ ରହିଥିବା ବେଳେ ୟୁପିଏ ୯୨ ସିଟ୍ ଜିତିବାକୁ ସଫଳ ହୋଇଛି। ଅନ୍ୟ ଦଳ ୯୭ ସିଟରେ ବିଜୟୀ ହୋଇଛନ୍ତି।

Subscribe

National International State Sports Entertainment