ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧରେ ଅସ୍ତ୍ରବିରତି ପରେ ବି ପାକିସ୍ତାନ ସୁଧୁରିବାର ନାଁ ଧରୁନି । ମଙ୍ଗଳବାର ରାତି ୮ଟାରୁ ୧୦ଟା ମଧ୍ୟରେ ପ୍ରାୟ ୩୦ ଡ୍ରୋନ ଡେରା ବାବା ନାନକରେ ପାକିସ୍ତାନ ପକ୍ଷରୁ ଭାରତ ଆଡେ ଆସୁଥିବା ଦେଖିବାକୁ ମିଳିଛି । ଡେରା ବାବା ନାନକଙ୍କ ନିକଟସ୍ଥ ହରୁୱାଲ ଗାଁର ଗୁରୁବେଜ ସିଂ, ହିରା ସିଂ, ବଲବିନ୍ଦର ସିଂ, ହରଦେବ ସିଂ, ସରବଜିତ ସିଂ କହିଛନ୍ତି ଯେ ପାକିସ୍ତାନ ହୀନ କାର୍ଯ୍ୟରୁ ନିବୃତ୍ତ ହେଉନି ।
ମଙ୍ଗଳବାର ରାତି ୮ଟାରୁ ୧୦ଟା ମଧ୍ୟରେ, ସାଧନୱାଲି ଏବଂ ହାରୁୱାଲ ଗ୍ରାମଗୁଡ଼ିକର ଆନ୍ତର୍ଜାତୀୟ ସୀମାରୁ ପ୍ରାୟ ୩୦ଟି ଡ୍ରୋନ୍ ଭାରତୀୟ ସୀମାରେ ପ୍ରବେଶ କରୁଥିବା ଦେଖାଯାଇଥିଲା। ଲୋକମାନେ ଆକାଶରେ ଉଡ଼ୁଥିବା ଡ୍ରୋନର ଭିଡିଓ ମଧ୍ୟ ତିଆରି କରିଛନ୍ତି। ଡ୍ରୋନକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ସନ୍ଦେହ ସୃଷ୍ଟି ହୋଇଛି। ଲୋକେ କହିଛନ୍ତି ଯେ ଗତ କିଛି ଦିନ ଧରି ନିରନ୍ତର ଭାବେ ଡ୍ରୋନ ଦେଖିବାକୁ ମିଳୁଛି । ଯଦିଓ କୌଣସି କ୍ଷତି ହୋଇ ନାହିଁ ତଥାପି ଲୋକଙ୍କ ମନରେ ଭୟର ମାହୋଲ ସୃଷ୍ଟି କରୁଛି ।
ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଆତଙ୍କୀ ହମଲା ପରେ ଭାରତ ମେ ୬-୭ ତାରିଖ ରାତିରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା । ଭାରତ ପାକିସ୍ତାନରେ ପଶି ୯ ଆତଙ୍କୀ ଶିବିର ଏପରେ ଏୟାରଷ୍ଟ୍ରାଇକ କରି ଧ୍ୱଂସ କରିଥିଲା । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏହାର ଜବାବରେ ପାକିସ୍ତାନ ମେ ୭ରୁ ୧୦ ତାରିଖ ମଧ୍ୟରେ ଭାରତ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ରରେ ଅନେକ ଥର ହମଲା କରିଥିଲା, ଯାହାର ଉଚିତ୍ ଜବାବ ଦେଇଥିଲା ଭାରତ । ଏହି ସଂଘର୍ଷରେ ଭାରତୀୟ ସେନା ପାକିସ୍ତାନର ୧୧ ଏୟାରବେସ୍ ଉଡାଇ ଦେଇଛନ୍ତି । ପାକିସ୍ତାନ ସେନାର ୩୫ରୁ ୪୦ ଯବାନ ନିହତ ହୋଇଛନ୍ତି । ତଥାପି ପାକିସ୍ତାନ ସୀମାରେ ଉସୁକାଇବା ପରି କାର୍ଯ୍ୟ ଜାରି ରଖିଛି ।