ଅଯୋଧ୍ୟା ଆତଙ୍କୀ ହମଲାରେ ୧୪ ବର୍ଷ ପରେ ଆସିଲା ରାୟ, ୪ ଜଣଙ୍କୁ ଆଜୀବନ କାରାବାସ
Khabar Odisha:National-odisha-special-court-sentences-four-convicts-to-life-imprisonment-in-ayodhya-terror-attack-case
ଅଯୋଧ୍ୟା,ଜୁନ୧୮(ଖବର ଓଡ଼ିଶା):

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମଜନ୍ମଭୂମୀ ପରିସରରେ ୨୦୦୫ରେ ହୋଇଥିବା ଆତଙ୍କୀ ହମଲା ମାମଲାରେ ପ୍ରୟାଗରାଜର ସ୍ଵତନ୍ତ୍ର କୋର୍ଟ ମଙ୍ଗଳବାର ଦୋଷୀଙ୍କ ବିରୋଧରେ ସଜା ଘୋଷଣା କରିଛନ୍ତି।  କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ୫ ଜଣଙ୍କ ମଧ୍ୟରୁ ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ଵତନ୍ତ୍ର ଜଜ ଏସସି/ଏସଟି ଦିନେଶ ଚନ୍ଦ୍ରଙ୍କ କୋର୍ଟରେ ଦୁଇ ପକ୍ଷଙ୍କ ତର୍କ ଶୁଣିବା ପରେ ଜୁନ ୧୧ରେ ରାୟ ସଂରକ୍ଷିତ ରଖିଥିଲେ। 

ଶୁଣାଣି ସମୟରେ ୬୩ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ପରେ କୋର୍ଟ ରାୟ ଦେବା ପାଇଁ ଜୁନ ୧୮ ତାରିଖ ସ୍ଥିର କରିଥିଲେ। ସୁରକ୍ଷା କାରଣରୁ ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲର ଅସ୍ଥାୟୀ ସ୍ଵତନ୍ତ୍ର କୋର୍ଟରେ ସଜାର ଶୁଣାଣି ହୋଇଥିଲା। ଏହି ସମୟରେ ଉକ୍ତ ଜେଲରେ ଆତଙ୍କୀ ହମଲାର ପାଞ୍ଚ ଆରୋପି ଇରଫାନ, ମହମ୍ମଦ ସକିଲ, ମହମ୍ମଦ ନସିମ, ମହମ୍ମଦ ଅଜିଜ ଓ ଆସିଫ ଇକବାଲ ଓରଫ ଫାରୁକ ବନ୍ଦୀ ଥିଲେ। 

ହମଲାରେ ଦୁଇ ଜଣ ନାଗରିଙ୍କ ମୃତ୍ୟୁ ଘଟିଥିଲା

ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀ ୨୦୦୫ ଜୁଲାଇ ୫ ସକାଳ ପ୍ରାୟ ୮ଟା ୪୫ ମିନିଟରେ ଅଯୋଧ୍ୟା ସ୍ଥିତ ରାମଜନ୍ମଭୂମୀ ପରିସର ବ୍ୟାରିକେଡ୍ ନିକଟରେ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଧରି ଆତଙ୍କୀ ଆଖିବୁଜା ଗୁଳିମାଡ଼ କରି ବୋମା ବିସ୍ଫୋରଣ କରିଥିଲେ। ଏଥିରେ  ଡ୍ୟୁଟି ସମୟରେ ମୁତୟନ ସୁରକ୍ଷାବଳର ଅନେକ ଯବାନ ଆହତ ହୋଇଥିଲେ। ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ୫ ଆତଙ୍କୀ ନିପାତ ହୋଇଥିଲେ। ପରେ ପାଞ୍ଚ ଜଣ ଆରୋପୀ ଧରା ପଡିଥିଲେ। ଆତଙ୍କୀ ସଂଗଠନ ଲସ୍କର ଇ ତୋଇବା ଏହି ହମଲା କରାଇଥିଲା। ଏଥିରେ ଜଣେ ଟୁରିଷ୍ଟ ଗାଇଡଙ୍କ ସହିତ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।

୧୪  ବର୍ଷ ପୂର୍ବେ  ହୋଇଥିଲା ଗିରଫଦାରୀ

ମରିଥିବା ଆତଙ୍କୀଙ୍କ ନିକଟରୁ ଜବତ ମୋବାଇଲର ଯାଞ୍ଚ ପରେ ପାଞ୍ଚ ଜଣ ଅଭିଯୁକ୍ତଙ୍କ ବିଷୟରେ ସୂଚନା ମିଳିଥିଲା। ଏହା ପରେ ୨୦୦୫ ଜୁଲାଇ ୨୮ରେ ଗିରଫ କରାଯାଇଥିଲା।

Subscribe

National International State Sports Entertainment