ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କଲେ ମୋଦୀ, କହିଲେ ନୂତନ ସରକାର ପୂରଣ କରିବ ଆଶା, ଆକାଂକ୍ଷା
Khabar Odisha:National-odisha-pm-narendra-modi-arrives-at-the-rashtrapati-bhavan-to-meet-the-president
ନୂଆଦିଲ୍ଲୀ,ମେ୨୫(ଖବର ଓଡ଼ିଶା):

 ଏନଡିଏର ସର୍ବସମ୍ମତି କ୍ରମେ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦୀ ରାଷ୍ଟ୍ରପରି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସରକାର ଗଠନ  ନେଇ ଦାବି ଉପସ୍ଥାପନ କରିଛନ୍ତି। ଏହି ସମୟରେ ମୋଦୀ ୩୫୩  ସାଂସଦଙ୍କ  ସମର୍ଥନ ଥିବା ଦାବି ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟ ପଟେ ନୂତନ ସରକାର ଗଠନ କରିବାକୁ ରାଷ୍ଟ୍ରପତି ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି। 

ଏହା ସହିତ ରାଷ୍ଟ୍ରପତି ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ଯେ, ସେ କେନ୍ଦ୍ରୀୟ ମନ୍ତ୍ରିପରିଷଦର ସଦସ୍ୟଙ୍କ ନିଯୁକ୍ତି ପାଇଁ ନାମ ଦିଅନ୍ତୁ। ରାଷ୍ଟ୍ରପତି ଭବନରେ ଆୟୋଜିତ  ହେବାକୁ ଥିବା ଶପଥଗ୍ରହଣ ସମାରୋହର ତାରିଖ ଓ ସମୟ ଦେବାକୁ ମଧ୍ୟ ରାଷ୍ଟ୍ରପତି କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି କୋବିନ୍ଦ ସମ୍ବିଧାନର ଧାରା ୭୫(୧)ର ପ୍ରୟୋଗ କରି ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଛନ୍ତି। 

ସରକାର ଗଠନ ନେଇ ରାଷ୍ଟ୍ରପତିଙ୍କଠାରେ ଦାବି ଉପସ୍ଥାପନ କରିବା ପରେ ମୋଦୀ କହିଛନ୍ତି ଯେ, ଦେଶବାସୀ ଆମକୁ ପ୍ରଚଣ୍ଡ ବହୁମତ ଦେଇଛନ୍ତି। ଏଥିପାଇଁ ସମସ୍ତଙ୍କୁ ଗଭୀର କୃତଜ୍ଞତା ଜଣାଉଛି। ସବକା ସାଥ୍, ସବକା ବିକାଶ, ସବକା ବିଶ୍ଵାସ ଆମର ମୂଳ ମନ୍ତ୍ର। ଦେଶବାସୀଙ୍କ ଆଶା, ଆକାଂକ୍ଷା ଆମ ସରକାର ପୂରଣ କରିବ।

ସ୍ଵପ୍ନକୁ ସାକାର କରିବାରେ ହେଳା କରିବ ନାହିଁ ନୂତନ ସରକାର

ରାଷ୍ଟ୍ରପତିଙ୍କୁ ୩୫୩ ସାଂସଦଙ୍କ ସମର୍ଥନ ପତ୍ର ପ୍ରଦାନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରାଷ୍ଟ୍ରପତି ଆଜି ମୋତେ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତିର ପତ୍ର ପ୍ରଦାନ କରିଛନ୍ତି। ଯେଉଁ ଜନାଦେଶ ମିଳିଛି ସେଥିରେ  ବହୁତ ଆଶା ମଧ୍ୟ ଜଡ଼ିତ ଅଛି। ସେ କହିଛନ୍ତି ଯେ, ସରକାର ୨୦୨୨କୁ ଖାସ୍ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି କରିବ। କାରଣ ସେହି ବର୍ଷ ଦେଶକୁ ସ୍ଵାଧୀନତାର ୭୫ ବର୍ଷ ପୂରଣ ହେବ। ନୂତନ ସରକାର ଦେଶବାସୀଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରିବ ନାହିଁ। 

Subscribe

National International State Sports Entertainment