ଅର୍ଥନୀତି ମଜବୁତ କରିବା ଓ ନିଯୁକ୍ତି ଦେବା, ୧୦୦ ଦିନର ଏଜେଣ୍ଡାକୁ ଅନ୍ତିମ ରୂପରେଖ ଦେଲେ ସରକାର
Khabar Odisha:National-odisha-pm-modi-meets-key-secretaries-to-finalise-100-day-agenda
ନୂଆଦିଲ୍ଲୀ,ଜୁନ୧୮(ଖବର ଓଡ଼ିଶା):

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ପୂର୍ବରୁ ୧୦୦ ଦିନର ଏଜେଣ୍ଡାକୁ ଅନ୍ତିମ ରୂପ ଦେବା ପାଇଁ ଜୁଟି ଯାଇଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଅର୍ଥ ଓ ଅନ୍ୟ ମହତ୍ଵପୂର୍ଣ୍ଣ ମନ୍ତ୍ରଣାଳୟର ଶୀର୍ଷ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି। ଏହି ସମୟରେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଓ ନିଯୁକ୍ତି ସୃଷ୍ଟିକୁ ଧ୍ୟାନରେ ରଖି ସରକାରଙ୍କ ୧୦୦ ଦିନର ଏଜେଣ୍ଡାକୁ ଅନ୍ତିମ ରୂପ ଦିଆଯାଇଛି।

ସୂଚନା ମୁତାବକ ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଏଥିରେ ଅର୍ଥ ମନ୍ତ୍ରଣାଳୟର ସମସ୍ତ ପାଞ୍ଚ ସଚିବଙ୍କ ବ୍ୟତୀତ କିଛି ଅନ୍ୟ ମନ୍ତ୍ରଣାଳୟର ଅଧିକାରୀ ଓ ନୀତି ଆୟୋଗର ଅଫିସର ଉପସ୍ଥିତ ଥିଲେ। କୁହାଯାଉଛି ଯେ ବୈଠକରେ ଅତି କମରେ ଦେଶକୁ ୫ ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥା କରିବା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସରକାର ୫ ବର୍ଷର ଦୃଷ୍ଟିକୋଣକୁ ସ୍ପଷ୍ଟ କରିଛନ୍ତି।

ଏହା ମଧ୍ୟ କୁହାଯାଉଛି ଯେ, ବୈଠକରେ କୃଷକଙ୍କ ଆୟକୁ ଦୁଇ ଗୁଣା କରିବା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି,  ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସମସ୍ତଙ୍କକୁ ପାନୀୟ ଜଳ, ସମସ୍ତଙ୍କୁ ବିଜୁଳି ସମେତ ପ୍ରଧାନମନ୍ତ୍ରୀଙ୍କ ମହତ୍ଵାକାଂକ୍ଷୀ ପ୍ରକଳ୍ପର ଭବିଷ୍ୟତ ରୂପ ରେଖରା ଉପରେ ମଧ୍ୟ ବିଚାର ବିମର୍ଶ କରାଯାଇଛି। କୃଷି କ୍ଷେତ୍ରର ସମସ୍ୟାକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ ମୋଦୀ  କୃଷି କ୍ଷେତ୍ରରେ ଢାଞ୍ଚାଗତ ସୁଧାର ଆଣିବା, ବ୍ୟକ୍ତିଗତ ନିବେଶ ବଢାଇବା, କୃଷକଙ୍କୁ ବଜାର ସମର୍ଥନ ମୂଲ୍ୟ ପ୍ରଦାନ କରିବା ଓ ଲଜିଷ୍ଟିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଇଥିଲେ।

ପ୍ରଧାନମନ୍ତ୍ରୀ ପ୍ରାୟତଃ ସମସ୍ତ ବିଭାଗ ସହିତ ସୁଧାରର ରୂପରେଖା ଉପରେ ବିଚାର କରିଛନ୍ତି, ଯେଉଁଥିରେ ଦେଶର କାରବାର ବ୍ୟବସ୍ଥାକୁ ସୁଗମ କରାଯାଇ ପାରିବ ତଥା ଅର୍ଥ ବ୍ୟବସ୍ଥାକୁ ଦ୍ରୁତ ଗତିରେ ବଢାଯାଇ ପାରିବ। ସୂତ୍ର ମୁତାବକ ବୈଠକରେ ରାଜସ୍ଵ ବଢାଇବା ତଥା  ସୁଧାର ଜରିଆରେ ସକଳ ଘରୋଇ ଉତ୍ପାଦ(ଜିଡିପି)ର ବୃଦ୍ଧି ନେଇ ମଧ୍ୟ ଆଲୋଚନା କରାଯାଇଛି।

Subscribe

National International State Sports Entertainment