ଜୟପୁର, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ଦୀର୍ଘ ଦିନର ରାଜନୈତିକ ସଂକଟ ପରେ କଂଗ୍ରେସ ଅଧ୍ୟକ୍ଷ ପଦବି ପାଇଁ ସେପ୍ଟେମ୍ବର ୨୪ ତାରିଖରେ ନାମାଙ୍କନ ପତ୍ର ଦାଖଲ ହୋଇସାରିଛି । ଏହି ପଦବି ପାଇଁ ଯେଉଁ ନାମ ସର୍ବାଧିକ ଚର୍ଚ୍ଚା ହେଉଛି, ସେ ହେଉଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ । ସେ ଆଗାମୀ ଦିନରେ ନାମାଙ୍କନ ପତ୍ର ଦାଖଲ କରିବେ । ଏହାରି ମଧ୍ୟରେ ରାଜସ୍ଥାନରେ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ, ସେଥି ନେଇ ଜୟପୁରରେ ବିଧାୟକ ଦଳର ବୈଠକ ଆଜି ହେବ । ଏହି ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଅଜୟ ମାକନ ଉପସ୍ଥିତ ରହିବେ । କୁହାଯାଉଛି ଯେ, ବୈଠକରେ ବିଧାୟକମାନଙ୍କ ସହମତି ପରେ ରାଜ୍ୟକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିପାରେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ସ୍ୱଷ୍ଟ କରିଦେଇଥିଲେ ଯେ, କଂଗ୍ରେସ ଅଧ୍ୟକ୍ଷର ନାମାଙ୍କନ ଦାଖଲ କରିବେ ଏବଂ ଅଧ୍ୟକ୍ଷ ହେବା ପରେ ମୁଖ୍ୟମନ୍ତ୍ରୀ ପଦବିରୁ ଇସ୍ତଫା ଦେବେ । ଏହି ନିର୍ବାଚନରେ ଗହଲୋତଙ୍କ ପ୍ରଭାବ ଅଧିକ ବୋଲି କୁହାଯାଉଛି । ପାର୍ଟି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ମୁହଁକୁ ନେଇ ମଧ୍ୟ ପ୍ରସ୍ତୁତିର ପର୍ବ ଆରମ୍ଭ କରିଦେଇଛି । ଏଥି ପାଇଁ ପାର୍ଟିର ହାଇକମାଣର ବିଧାୟକଙ୍କୁ ତାଙ୍କର ପସନ୍ଦ ସଂପର୍କରେ ପଚରାଯିବ, ଯାହାର ଆଧାରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।
ଅନ୍ୟପଟରେ କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ ବୈଠକ ସଂପର୍କରେ ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ସେପ୍ଟେମ୍ବର ୨୫ ସନ୍ଧ୍ୟା ୭ଟାରେ ରାଜସ୍ଥାନ ବିଧାନସଭାର କଂଗ୍ରେସ ବିଧାୟକ ଦଳ (ସିଏଲପି)ର ବୈଠକରେ ସାମିଲ ହେବାକୁ ଅଜୟ ମାକନ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ତେବେ ବୈଠକ ପୂର୍ବରୁ ଚର୍ଚ୍ଚା ହେଉଛି ଯେ, ଗହଲୋତଙ୍କ ପରେ ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦବି ମିଳିପାରେ ।