ଶ୍ରୀନଗର, ମେ ୧୬ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରରେ ସରକାରୀ ସେବାରେ ନିୟୋଜିତ କଶ୍ମୀରୀ ପଣ୍ଡିତମାନେ ଲଗାତାର ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଛନ୍ତି । ପୁଲୱାମାର ହୱାଲ ଟ୍ରାଞ୍ଜିଟ ଆବାସରେ ରହୁଥିବା କଶ୍ମୀରୀ ପଣ୍ଡିଙ୍କୁ ଲଶ୍କର-ଏ-ଇସ୍ଲାମ ନାଁରେ ଏକ ଆତଙ୍କବାଦୀ ସଂଗଠନ ଧମକ ଦେଇଛନ୍ତି । ଆତଙ୍କବାଦୀଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପୋଷ୍ଟରରେ କୁହାଯାଇଛି ଯେ, କଶ୍ମୀରୀ ପଣ୍ଡିତମାନେ ଘାଟୀ ଛାଡ଼ି ଦିଅନ୍ତୁ ଅଥବା ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହନ୍ତୁ । ସୂଚନାଯୋଗ୍ୟ, ଏହି ଟ୍ରାଞ୍ଜିଟ ଆବାସରେ ରହୁଥିବା ଅଧିକାଂଶ କଶ୍ମୀରୀ ପଣ୍ଡିତମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ଚାକିରି କରିଥାନ୍ତି ।
ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ସମସ୍ତ ପ୍ରବାସୀ ଓ ଆରଏସ୍ଏସ୍ ଏଜେଣ୍ଟ ଛାଡ଼ି ଦିଆନ୍ତୁ ଅଥବା ମୃତ୍ୟୁର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ । ଏମିତିରେ କଶ୍ମୀରୀ ପଣ୍ଡିତ ଅଛନ୍ତି, ଯେଉଁମାନେ କଶ୍ମୀରୀ ମୁସଲମାନମାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଘାଟୀରେ କୌଣସି ସ୍ଥାନ ନାହିଁ । ନିଜର ସୁରକ୍ଷା ୨ରୁ ୩ ଗୁଣ କରି ନିଅନ୍ତୁ । ଟାର୍ଗେଟ କିଲିଂ ପାଇଁ ପ୍ରସ୍ତୁତ ରୁହନ୍ତୁ । ତୁମେମାନେ ମରିବ । ଏହି ପୋଷ୍ଟର ହୱାଲ ଟ୍ରାଞ୍ଜିଟ ଆବାସର ସଭାପତିଙ୍କୁ ସମ୍ବୋଧିତ କରି ଲେଖା ଯାଇଛି ।
ନିକଟରେ ଜମ୍ମୁ କଶ୍ମୀରର ବଡଗାମରେ ଆତଙ୍କବାଦୀମାନେ ରାଜସ୍ୱ ବିଭାଗର ଜଣେ ଅଧିକାରୀଙ୍କୁ ଗୁଳି କରିଥିଲେ । ତହସିଲ କାର୍ଯ୍ୟାଳୟରେ ଆତଙ୍କବାଦୀମାନେ ରାହୁଲ ଭଟ୍ଟ ନାଁରେ ଜଣେ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ । ରାହୁଲଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ରାହୁଲ କଶ୍ମୀରୀ ପଣ୍ଡିତ ଥିଲେ, ଯିଏ କି ଦୀର୍ଘ ଦିନରୁ ରାଜସ୍ୱ ବିଭାଗରେ କାର୍ଯ୍ୟରତ ଥିଲେ । ଆତଙ୍କବାଦୀମାନେ ତହସିଲ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କୁ ଗୁଳି କରିଥିଲେ ।