ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଇନ୍ଧନ ଦର ଉପରେ ବଡ଼ ଘୋଷଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସରକାର ପାଇଁ ଜନତା ପ୍ରଥମ । ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ଆମ ପାଇଁ ସବୁ ବେଳେ ପ୍ରଥମେ ଜନତା । ବିଶେଷ ଭାବେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ହେବା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସକରାତ୍ମକ ପ୍ରଭାବ ପଡ଼ିବ । ଆମର ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ।
ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ପ୍ରତି ସିଲିଣ୍ଡର ୨୦୦ ଟଙ୍କାର ସବସିଡି ଦେବାକୁ ନିର୍ଣ୍ଣୟ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉଜ୍ଜ୍ୱଳା ଯୋଜନା କୋଟି କୋଟି ଭାରତୀୟ, ବିଶେଷ ଭାବେ ମହିଳାଙ୍କୁ ସହଯୋଗ କରୁଛି । ଉଜ୍ଜ୍ୱଳା ସବସିଡି ଉପରେ ଆଜିର ନିଷ୍ପତ୍ତି ଦ୍ୱାରା ପରିବାରର ବଜେଟରେ ବହୁତ ସହଜ ହେବ । ଉତ୍ପାଦ ଶୁଳ୍କରେ ହ୍ରାସ ପାଇବା ଦ୍ୱାରା ପେଟ୍ରୋଲ ଉପରେ ୯.୫ ଟଙ୍କା ପ୍ରତି ଲିଟର ଓ ଡିଜେଲ ଦର ୭ଟଙ୍କା କମ୍ ହେବ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଶନିବାର ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣ ନିଷ୍ପତ୍ତିରେ ଦେଶର ସାଧାରଣ ଜନତାଙ୍କୁ ଲାଭ ପହଞ୍ଚାଇବ । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପେଟ୍ରୋଲ ଦର ୯ଟଙ୍କା ୫୦ ପଇସା ଲିଟର ପିଛା ଓ ଡିଜେଲ ଦର ଲିଟର ପିଛା ୭ ଟଙ୍କା ହ୍ରାସ ଆସିବ । କିନ୍ତୁ ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟମାନଙ୍କର ଦାୟିତ୍ୱ ବଢ଼ିଯାଇଛି । କାରଣ ରାଜ୍ୟ ସରକାରମନଙ୍କ ଉପରେ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହ୍ରାସ କରିବାକୁ ନେଇ ଚାପ ବଢ଼ିଯାଇଛି ।