ନୂଆଦିଲ୍ଲୀ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍ଆଇ) ଓ ଏହି ସଂସ୍ଥା ସହିତ ଜଡ଼ିତ ଲିଙ୍କ ଉପରେ ଦେଶବ୍ୟାପୀ ଚଢ଼ଉ କରିଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଏବଂ ଶିବିର ପରିଚାଳନା କରିବା ମାମଲାରେ ତଦନ୍ତ ସଂସ୍ଥା ଚଢ଼ଉ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ବିଗତ କିଛି ଦିନ ହେଲା ଏନ୍ଆଇଏ ଏହି ମାମଲାରେ ପ୍ରାୟ ୧୨ଟି ମାମଲା ରୁଜୁ କରିସାରିଛି । ଏଥିରେ ପିଏଫଆଇର ଲିଙ୍କ ମିଳିଛି । ଇଡି, ଏନ୍ଆଇଏ ଏବଂ ରାଜ୍ୟ ପୁଲିସ ପିଏଫଆଇ ସହିତ ଜଡ଼ିତ ୧୦୦ରୁ ଅଧିକ ଲୋକଙ୍କୁ ଭିନ୍ନ ଭିନ୍ନ ମାମଲାରେ ଗିରଫ କରିସାରିଛି । ଅଭିଯୁକ୍ତମାନେ ୧୦ଟି ରାଜ୍ୟରୁ ଗିରଖ ହୋଇଛନ୍ତି । ଅନ୍ୟପଟରେ ଏନ୍ଆଇଏର କାର୍ଯ୍ୟାନୁଷ୍ଠାନ ନେଇ କର୍ଣ୍ଣାଟକର ମେଙ୍ଗାଲୁରୁରେ ଏସ୍ଡିପିଆଇର କର୍ମକର୍ତ୍ତାମାନେ ଏନ୍ଆଇଏର ଚଢ଼ଉ ବିରୋଧରେ ପ୍ରଦର୍ଶନ କରିଛନ୍ତି ।
ଏନ୍ଆଇଏ ଉତ୍ତରପ୍ରଦେଶ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ସମେତ ଅନ୍ୟ ରାଜ୍ୟରେ ପିଏଫଆଇ ଏବଂ ଏହି ସଂସ୍ଥା ସହିତ ଜଡ଼ିତ ଠିକଣାରେ ଚଢ଼ଉ କରିଛି । ଏନ୍ଆଇକୁ ବ୍ୟାପକ ସଂଖ୍ୟାରେ ପିଏଫଆଇ ଏବଂ ଏହା ସହିତ ଜଡ଼ିତ ଲୋକଙ୍କ ସଂଦିଗ୍ଧ ଗତିବିଧି ସଂପର୍କରେ ସୂଚନା ମିଳିଛି । ଏହି ଆଧାରରେ ତଦନ୍ତ ସଂସ୍ଥା କ୍ରାକଡାଉନ କରିଛି ।