ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡ଼ିଶା): ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ଏବଂ କୋଟିପତି ତଥା ସମାଜସେବୀ ବିଲ ଗେଟ୍ସ ଭାରତର ୭୬ତମ ସ୍ୱାଧୀନତା ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଦୁର୍ଗରୁ ଦେଶବାସୀଙ୍କୁ ସମ୍ବୋଧନରେ ହେଲ୍ଥକେୟାର ଓ ଡିଜିଟାଲ ଟ୍ରାନ୍ସଫରମେଶନକୁ ପ୍ରାଥମିକତା ଦିଆଯିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବିଲ ଗେଟ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ପରେ ଟୁଇଟ କରିଛନ୍ତି, ‘ଆଜି ଭାରତ ସ୍ୱାଧୀନତା ଦିବସ ପାଳନ କରୁଚି । ଏହି ଅବସରରେ ଭାରତର ବିକାସକୁ ଆଗକୁ ବଢ଼ାଇ ହେଲ୍ଥକେୟାର ଓ ଡିଜିଟାଲ ଟ୍ରାନ୍ସଫରମେଶନକୁ ପ୍ରୋତ୍ସାହନ ଦେବା ପାଇଁ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ସେକ୍ଟରରେ ଭାରତର ପ୍ରଗତି ପ୍ରେରଣା ଦେବ ,ବଂ ଏହି ଯାତ୍ରାରେ ଆମେ ସାମିଲ ହୋଇ ସୌଭାଗ୍ୟଶାଳୀ ।’ ଗେଟ୍ସ ନିଜର ଟୁଇଟ୍ରେ ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟକୁ ଟ୍ୟାଗ କରିଛନ୍ତି ଏବଂ ଅମୃତ ମହୋତ୍ସବ ହ୍ୟାଶଟ୍ୟାଗ ମଧ୍ୟ ବ୍ୟବହାର କରିଛନ୍ତି ।
ସୂଚନାଯୋଗ୍ୟ, ଭାରତ ସ୍ୱାଧୀନତା ପାଇବା ୭୫ ବର୍ଷ ପୂରିଛି । ଏହି ଅବସରରେ ପାଖାପାଖି ୧ ବର୍ଷ ହେବ ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ୯ମ ଥର ପାଇଁ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତ୍ରିରଙ୍ଗା ଉଡଇବା ପରେ ଆଗାମୀ ୨୫ ବର୍ଷର ରଣନୀତି କିଭଳି ହେବ, ତାହା ଉପସ୍ଥାପନା କରିଛନ୍ତି ।କେନ୍ଦ୍ର ସରକାର ଆଗାମୀ ୨୫ ବର୍ଷକୁ ‘ଅମୃତ କାଳ’ ନାମ ଦେଇଛନ୍ତି । ସରକାରଙ୍କ ଲକ୍ଷ୍ୟ ଯେ, ଆଗାମୀ ୨୫ ବର୍ଷରେ ଦେଶକୁ ବିକସିତ କରିବା ପାଇଁ ଅନ୍ୟ ଉପଲବ୍ଧି ହାସଲ କରିବାର ଅଛି ।