ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ଗରିବ ଓ ଦଳିତ ଲୋକଙ୍କ ସ୍ୱର, ରାଷ୍ଟ୍ରବାଦୀ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଜି (ସେପ୍ଟେମ୍ବର ୨୫) ୧୦୬ତମ ଜୟନ୍ତୀ । ଭାରତୀୟ ରାଜନୀତିର ଇତିହାସରେ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ । ପଣ୍ଡିତ ଦୀନଦୟାଲଙ୍କ ଜୟନ୍ତୀ ପ୍ରତିବର୍ଷ ଅନ୍ତ୍ୟୋଦୟ ଦିବସ ଭାବେ ପାଳନ କରାଯାଇଛି । ସେ ଭାରତୀୟ ଜନ ସଂଘର ସହ-ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଚାରକ ଥିଲେ ।
ଅନ୍ତ୍ୟୋଦୟ ଶବ୍ଦର ଅର୍ଥ ହେଲା ଉତ୍ଥାନ, ଯାହା ସମାଜରେ ଆର୍ଥିକ ରୂପେ ଅନଗ୍ରସର ଲୋକଙ୍କୁ ସମର୍ପିତ । ଏହି ଦିନର ଉଦ୍ଦେଶ୍ୟ ଭାରତର ଗରିବ ଓ ପଛୁଆ ଲୋକଙ୍କ ବିକାଶ ଏବଂ ତାଙ୍କର ଯତ୍ନ ନେବା । ଏଥି ସହିତ ଏହି ଦିନରେ ସମାଜ ଏବଂ ରାଜନୀତିରେ ଉପାଧ୍ୟାୟଙ୍କ ଅବଦାନକୁ ମନେ ପକାଇ ପାଳନ କରିବା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସେପ୍ଟେମ୍ବର ୨୪ ତାରିଖରେ ପଣ୍ଡିିତ ଦୀନଦୟାଲ ଉପାଧ୍ୟାୟଙ୍କ ୯୮ତମ ଜୟନ୍ତୀ ଅବସରରେ ‘ଅନ୍ତ୍ୟେଦୟ ଦିବସ’ର ଘୋଷଣା କରିଥିଲେ । ୨୦୧୫ ଠାରୁ ଏହାକୁ ସରକାରୀ ଭାବେ ପାଳନ କରାଯାଉଛି । ସୂଚନାଯୋଗ୍ୟ ପଣ୍ଡିତ ଦୀନଦୟାଲ ସର୍ବପ୍ରଥମେ ଅନ୍ତ୍ୟେଦୟର ଶ୍ଲୋଗାନ ଦେଇଥିଲେ ।