ମୁମ୍ବାଇ/ରାଞ୍ଚି: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ଏହାରି ମଧ୍ୟରେ ପର୍ଯ୍ୟାୟ କ୍ରମେ ହେଉଥିବା ଭୋଟ୍ ଗଣତିର ଫଳାଫଳ ଆସିବାରେ ଲାଗିଛି। ମହାରାଷ୍ଟ୍ରରେ ମହାୟୁତି ସପକ୍ଷରେ ଜନାଦେଶ ଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ମହାରାଷ୍ଟ୍ରରେ ଏନ୍ଡିଏ ୨୧୭ ଆସନରେ ଆଗୁଆ ରହିଛି। ଇଣ୍ଡିଆ ମେଣ୍ଟ ୫୭ଟି ଆସନରେ ଆଗୁଆ ରହିଛି। ସେହିପରି ଝାଡ଼ଖଣ୍ଡରେ ଜେଏମ୍ଏମ୍ ମେଣ୍ଟ ୪୭ ଓ ବିଜେପି ନେତୃତ୍ବ ଏନ୍ଡିଏ ୩୦ ଆସନରେ ଆଗୁଆ ରହିଛି।
ଫଳାଫଳ ଆସିବା ପୂର୍ବରୁ ନେତାମାନେ ବିଜୟ ଉତ୍ସବ ପାଳନ ଆରମ୍ଭ କରିଦେଇଛନ୍ତି। ମହାରାଷ୍ଟ୍ରରେ ଏନ୍ଡିଏ ସମର୍ଥିତ ଦଳଗୁଡ଼ିକ ବାଣ ଫୁଟାଇବା ଆରମ୍ଭ କରିଦେଇଛନ୍ତି। କିଛି ସ୍ଥାନରେ ମିଠା ବାଣ୍ଟିବା ଓ ଭୋଜି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ନେତାମାନେ ବିଜୟୀ ହେବା ଆଶାରେ ଦେବାଳୟର ଆଶ୍ରୟ ନେଇଛନ୍ତି। ମନ୍ଦିରରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଦିନ ଆରମ୍ଭ କରିଛନ୍ତି। ଜାତୀୟ ରାଜଧାନୀ ନୂଆଦିଲ୍ଲୀର କିଛି ସ୍ଥାନରେ ଜିଲାପି ବଣ୍ଟନ ପାଇଁ ପ୍ରସ୍ତୁତି ଚାଲିଛି।
ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ମତଦାନ ହୋଇଥିଲା। ୮୧ଟି ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକ୍ଜିଟ୍ ପୋଲ୍ ତଥ୍ୟ ଦୁଇଦିନ ପୂର୍ବରୁ ସାମ୍ନାକୁ ଆସିଛି। ଅଧିକାଂଶ ଏକ୍ଜିଟ୍ ପୋଲ୍ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏନ୍ଡିଏ ସରକାର ଗଠନ ସପକ୍ଷରେ ରହିଛି। କିଛି ଏକ୍ଜିଟ୍ ପୋଲ୍ରେ ଝାଡ଼ଖଣ୍ଡରେ ତ୍ରିଶୂଙ୍ଖଳିତ ସରକାର ଏବଂ ମହାରାଷ୍ଟ୍ରରେ ମହାବିକାଶ ଆଘାଡି ସରକାର ହେବ ବୋଲି ପୂର୍ବାନୁମାନ କରାଯାଇଛି।