ଭୁବନେଶ୍ୱର: ‘ଦୀଘା ଜଗନ୍ନାଥ ଧାମ’ ନାମକରଣକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖି ସେ ‘ଦୀଘା ଜଗନ୍ନାଥ ଧାମ’ ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି।
ଚିଠିରେ ମୋହନ ମାଝୀ ଉଲ୍ଲେଖ କରିଛନ୍ତି ଯେ, ସନାତନ ପରମ୍ପରା ଅନୁସାରେ ପୁରୀ ଶ୍ରୀକ୍ଷେତ୍ର ଦେଶର ପବିତ୍ର ଚାରି ଧାମ ମଧ୍ୟରୁ ଗୋଟିଏ। ତେଣୁ ‘ଧାମ’ ଶବ୍ଦର ବ୍ୟବହାର କେବଳ ପୁରୀ ସହ ଜଡ଼ିତ ଥିବାରୁ ଦୀଘାର ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବେ ନାମକରଣ କରିବା ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବାବେଗକୁ ଆଘାତ ଦେଉଛି।
ସେ ପ୍ରସ୍ତାବ ଦେଇଛନ୍ତି ଯେ, ‘ଦୀଘା ଜଗନ୍ନାଥ ଧାମ’ ପରିବର୍ତ୍ତେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ନାମ ବ୍ୟବହାର କରାଯାଉ। ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତି ପ୍ରତି ସମ୍ମାନ ଅବିକୃତ ରହିବା ସହ ଅନାବଶ୍ୟକ ବିବାଦର ଅବସାନ ଘଟିବ ବୋଲି ସେ ମତ ରଖିଛନ୍ତି।
ଚିଠିର ଶେଷରେ ମୋହନ ମାଝୀ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ନେବାକୁ ଶୁଭେନ୍ଦୁଙ୍କୁ ଅନୁରୋଧ କରିଛନ୍ତି। ଏବେ ଏହି ଚିଠି ପରେ ପଶ୍ଚିମବଙ୍ଗ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।