ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ହୋଇଥିବା କାର ବିସ୍ଫୋରଣର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି । ସିସିଟିଭି ଭିଡିଓରେ ସେହି ଭୟାନକ ଦୃଶ୍ୟ କଏଦ ହୋଇଛି । ବିସ୍ଫୋରକରେ ଭରା କାରରେ ଭୟଙ୍କର ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ସିସିଟିଭି ଫୁଟେଜ ୨୦୨୫ ନଭେମ୍ବର ୧୦ ତାରିଖ ସମୟ ୬ଟା ୫୦ ମିନିଟ୍ ୫୨ ସେକେଣ୍ଡର । ସନ୍ଧ୍ୟା ସମୟରେ ଟ୍ରାଫିକରେ ଗାଡିଗୁଡିକ ଧାଡିରେ ଛିଡା ହୋଇଛି । ଟ୍ରାଫିକ ସିଗ୍ନାଲ ଗ୍ରୀନ ହେବା ପରେ ବାଇକ, କାର ଓ ଅଟୋ ଧିରେ ଧିରେ ଆଗକୁ ବଢୁଥିବା ବେଳେ ଅଚାନକ ଏକ ନିଆଁ ପିଣ୍ଡୁଳା ଉଠିବ ସହ ଚାରିଆଡେ ଅନ୍ଧାର ଛାଇ ଯାଉଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଅନେକ ଗାଡି ଜଳି ଯାଇଥିଲା । ଏହା ପୂର୍ବରୁ ଆସିଥିବା କିଛି ଭିଡିଓରେ ବିସ୍ଫୋରଣ ପରେ ଲୋକେ ଏଣେ ତେଣେ ଦୌଡୁଥିବା ଦେଖିବାକୁ ମିଳିଥିଲା ।
ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ଏହା ଆତ୍ମଘାତୀ ବିସ୍ଫୋରଣ ନ ଥିଲା । କାରରେ ଥିବା ସନ୍ଦିଗ୍ଧ ଆତଙ୍କୀ ବିଚଳିତ ହୋଇ ଏହି ବିସ୍ଫୋରଣ ଘଟାଇଛି । ତଦନ୍ତକାରୀ ଏଜେନ୍ସିର କହିବା ଅନୁଯାୟୀ, ଆଇଇଡିକୁ ଯଦି ସଂପୂର୍ଣ୍ଣ ବିକଶିତ କରାଯାଇ ପାରିଥାନ୍ତା ତେବେ ବିସ୍ଫୋରଣ ଆହୁରି ଘାତକ ହୋଇଥାନ୍ତା । ଏହି କାରଣରୁ ବିସ୍ଫୋରଣ ସ୍ଥାନରେ କୌଣସି ଗାତ ହୋଇ ନାହିଁ କିମ୍ବା ଧାତବ ସାର୍ପନେଲ ମିଳିନାହିଁ । ବିସ୍ଫୋରଣ କାର ଭିତରେ ହୋଇଥିବାରୁ କ୍ଷୟକ୍ଷତି ସୀମିତ ରହିଛି ।
ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଡାକ୍ତର ଉମର ନବିଙ୍କ ନାଁ ସାମ୍ନାକୁ ଆସିଛି । ସେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା ଏବଂ ବିସ୍ଫୋରଣ ଘଟାଇଥିବା କାର ସେ ଚଲାଉଥିବା ସନ୍ଦେହ କରାଯାଉଛି । ତାଙ୍କ ପରିବାର ଲୋକଙ୍କୁ ପଚରା ଉଚୁରା ପାଇଁ ପୋଲିସ ନିଜ ହେପାଜତକୁ ନେଇଛି । ଫରିଦାବାଦରେ ଚଢଉରେ ଜବତ ଆମୋନିଆ ନାଇଟ୍ରେଟ ପରି ବିସ୍ଫୋଟକ ପଦାର୍ଥ ସହ ଏହି ଘଟଣାର ଲିଙ୍କ ଯୋଡା ଯାଉଛି ।
Also read: ଦୀପାବଳି ଓ ଜାନୁୟାରୀ ୨୬ରେ ହୋଇଥାଆନ୍ତା ବଡ଼ ଆତଙ୍କୀ ହମଲା !