ଇଡ୍ଡୁକୀ, ଜାନୁଆରୀ ୨୪ (ଖବର ଓଡ଼ିଶା): ସମସ୍ତେ ଜାଣିଛନ୍ତି ଯେ ଚମଡ଼ା, ନିଶ, ଦାନ୍ତ ଓ ନଖ ପାଇବା ପାଇଁ ଶିକାରୀମାନେ ବାଘକୁ ଶିକାର କରିଥାନ୍ତି । କେରଳର ଇଡ୍ଡୁକି ଜିଲ୍ଲାରେ ଏକ ଭିନ୍ନ ଉଦେଶ୍ୟରେ ଚିତାବାଘ ଶିକାର କରାଯାଇଛି । ଏଠାରେ ଏକ ଚିତାବାଘକୁ ଶିକାର କରାଯିବା ପରେ ଏହାର ମାଂସ ଖାଇଛନ୍ତି କିଛି ଲୋକ । ଏହି ଘଟଣାରେ ୫ ଜଣ ଲୋକ ଗିରଫ ହୋଇଥିବା ଜଣାଯାଇଛି ।
ବନବିଭାଗ ପକ୍ଷରୁ କୁହାଯାଇଛି ଯେ, କେରଳର ଇଡ୍ଡୁକୀ ଜିଲ୍ଲାର ମଙ୍କୁଲାମ ଅଂଚଳରେ ଶୁକ୍ରବାର ଚିତାବାଘକୁ ଶିକାର କରାଯାଇଥିଲା । ଏହି ଘଟଣାରେ ବିନୋଦ, କୁରିଆକୋଶ, ବିନୁ, କୁଂଜାପାନ ଓ ଭିନସେଣ୍ଟ ନାମକ ୫ ଜଣ ବ୍ୟକ୍ତି ଗିରଫ ହୋଇଥିବା ମନକୁଲାମ ଫରେଷ୍ଟ ରେଂଜ ଅଫିସର କହିଛନ୍ତି । ରେଂଜ ଅଫିସର ଉଦୟ ସୂର୍ଯାନ କହିଛନ୍ତି ବିନୋଦ ଚିତାବାଘକୁ ଶିକାର କରିଥିଲା । ସେ ଜଙ୍ଗଲ ଭିତରେ ଥିବା ଏକ ଗାଁରେ ବସବାସ କରେ । ଅଭିଯୁକ୍ତ ବିନୋଦ ଗିରଫ ହେବା ପରେ କହିଛି ଯେ, ଚିତାବାଘର ମାଂସ ଖାଇବା ପରେ ଏହାର ଦାନ୍ତ, ନଖ, ଚମଡ଼ାକୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲେ ।