ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ପାଇଁ ୮ମ ବେତନ ଆୟୋଗକୁ ନେଇ ଚର୍ଚ୍ଚା ବେଶ୍ ଜୋର ଧରିଛି । ବିଭିନ୍ନ କର୍ମଚାରୀ ସଂଘ ଏବଂ ନ୍ୟାସନାଲ କାଉନସିଲ୍ ପକ୍ଷରୁ ସରକାରଙ୍କ ନିକଟରେ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି କରିବାକୁ ଦାବି କରାଯାଇଛି । ବର୍ଦ୍ଧିତ ମହଙ୍ଗା ଏବଂ ଜୀବନଧାରଣର ବ୍ୟୟକୁ ଦୃଷ୍ଟିରେ ରଖି କର୍ମଚାରୀ ସଂଗଠନଗୁଡ଼ିକ ସର୍ବାଧିକ ୩.୮୩ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଯଦି ଏହି ଦାବି ଗ୍ରହଣ କରାଯାଏ, ତେବେ କର୍ମଚାରୀଙ୍କ ଦରମାରେ ପ୍ରାୟ ୨୮୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିବ ।
୭ମ ବେତନ ଆୟୋଗର ଆଧାର ଓ ବର୍ତ୍ତମାନର ଗଣନା
ପୂର୍ବରୁ ୭ମ ବେତନ ଆୟୋଗ ସମୟରେ ସରକାର ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରିଥିଲେ । ଏହାଦ୍ୱାରା କର୍ମଚାରୀଙ୍କ ସର୍ବନିମ୍ନ ମୂଳ ବେତନ ₹୭,୦୦୦ ରୁ ବଢ଼ି ₹୧୮,୦୦୦ ହୋଇଥିଲା । ବର୍ତ୍ତମାନ ୮ମ ବେତନ ଆୟୋଗରେ ଯଦି ସରକାର କୌଣସି ବଡ଼ ପରିବର୍ତ୍ତନ ନକରି କେବଳ ପୁରୁଣା ୨.୫୭ ଫିଟମେଣ୍ଟ ଫ୍ୟାକ୍ଟରକୁ କାଏମ ରଖନ୍ତି, ତଥାପି କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ₹୪,୨୬୦ କୁ ବୃଦ୍ଧି ପାଇବ । କିନ୍ତୁ କର୍ମଚାରୀଙ୍କ ଦାବି ଅନୁଯାୟୀ ଏହା ୩.୮୩ ହେଲେ, ମୂଳ ଦରମା ସିଧାସଳଖ ₹୬୮,୯୪୦ ରେ ପହଞ୍ଚିବ ।
ଭିନ୍ନ ଭିନ୍ନ ଫିଟମେଣ୍ଟ ଫ୍ୟାକ୍ଟରରେ କେତେ ହେବ ଦରମା ?
ରିପୋର୍ଟ ଅନୁସାରେ, ବର୍ତ୍ତମାନ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି ଏବଂ ସରକାର କେଉଁ ଫିଟମେଣ୍ଟ ଫ୍ୟାକ୍ଟରକୁ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ସମ୍ଭାବ୍ୟ ଗଣନା ଅନୁଯାୟୀ:
୧.୯୨ ଫିଟମେଣ୍ଟ ଫ୍ୟାକ୍ଟରରେ: ସର୍ବନିମ୍ନ ବେତନ ₹୩୪,୫୬୦ ହେବ ।
୨.୮ ଫିଟମେଣ୍ଟ ଫ୍ୟାକ୍ଟରରେ: ସର୍ବନିମ୍ନ ବେତନ ₹୫୧,୪୮୦ ହେବ ।
୩.୦୦ ଫିଟମେଣ୍ଟ ଫ୍ୟାକ୍ଟରରେ: ସର୍ବନିମ୍ନ ବେତନ ₹୫୪,୦୦୦ ହେବ ।
୩.୬୮ ଫିଟମେଣ୍ଟ ଫ୍ୟାକ୍ଟରରେ: ସର୍ବନିମ୍ନ ବେତନ ₹୬୬,୨୪୦ ହେବ ।
୩.୮୩ ଫିଟମେଣ୍ଟ ଫ୍ୟାକ୍ଟରରେ: ସର୍ବନିମ୍ନ ବେତନ ₹୬୮,୯୪୦ ହେବ ।
ଭତ୍ତା ଏବଂ ପେନସନରେ ମଧ୍ୟ ହେବ ବଡ଼ ପରିବର୍ତ୍ତନ
କେବଳ ମୂଳ ଦରମା ନୁହେଁ, ବରଂ ୮ମ ବେତନ ଆୟୋଗ ଲାଗୁ ହେବା ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରଭଡ଼ା ଭତ୍ତା, ପରିବହନ ଭତ୍ତା (TA) ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମଧ୍ୟ ଅନୁପାତିକ ଭାବେ ବୃଦ୍ଧି ପାଇବ । ଏହାସହିତ ବର୍ତ୍ତମାନର ମହଙ୍ଗା ଭତ୍ତା (DA)କୁ ମୂଳ ଦରମା ସହ ମିଶ୍ରଣ କରାଯାଇ ପୁନର୍ବାର ଶୂନ (0%)ରୁ ଡିଏ ଗଣନା ଆରମ୍ଭ କରାଯିବ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ଦେଶର ପ୍ରାୟ ୫୦ ଲକ୍ଷରୁ ଅଧିକ ସକ୍ରିୟ କର୍ମଚାରୀ ଏବଂ ୬୯ ଲକ୍ଷରୁ ଅଧିକ ପେନସନଭୋଗୀ ସିଧାସଳଖ ଉପକୃତ ହେବେ।