ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଶ୍ରବସ୍ତୀ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାର ୫ ସଦସ୍ୟଙ୍କ ମୃତ ଘର ଭିତରୁ ଉଦ୍ଧାର କରାଯାଇଛି । ସ୍ୱାମୀଙ୍କୁ ଝଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ପତ୍ନୀ ଏବଂ ୩ ପିଲାଙ୍କୁ ଚଟାଣରେ ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତକ ମାନେ ଇକୌନା ଥାନା ଅନ୍ତର୍ଗତ ପୁରବା ଗ୍ରାମ ନିବାସୀ ରୋଜ ଅଲ୍ଲୀ (୩୨), ପତ୍ନୀ ଶହନାଜ (୩୦), ଦୁଇ ଝିଅ ତବସୁମ (୬) ଓ ଗୁଲନାଜ ଏବଂ ଦେଢ଼ ବର୍ଷର ପୁଅ ମୁଈନ ଅଲ୍ଲୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନା ମୁତାବକ, ରୋଜ୍ ଅଲ୍ଲୀଙ୍କ ଭଉଣୀ ରୁବୀନା ସକାଳେ କିଛି କାମରେ ଘରକୁ ଆସିଥିଲେ । ଅନ୍ୟଦିନ ଭଳି ପ୍ରଥମେ କବାଟ ବାଡ଼େଇ ଡାକିଥିଲେ । କିନ୍ତୁ କେହି କବାଟ ଖୋଲି ନ ଥିଲେ । ଘରର କବାଟ ଭିତର ପଟୁ ବନ୍ଦ ଥିବାରୁ ସେ ଝରକା ପଟେ ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ସେ ଚିତ୍କାର କରି ପଡ଼ୋଶୀଙ୍କୁ ଡାକିଥିଲେ । ଗ୍ରାମବାସୀମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ । । ଘର ପାଞ୍ଚ ପାଞ୍ଚ ଜଣ ସଦସ୍ୟ ମୃତ ଅବସ୍ଥାରେ ପଡ଼ିଥିଲେ । ଏହା ଗାଁରେ କୋକୁଆ ଭୟ ଖେଳିଯାଇଥିଲା ।
ଗ୍ରାମବାସୀମାନେ ଥାନାକୁ ଖବର ଦେବା ପରେ ପୋଲିସ ଆସି ପହଁଚି ସମସ୍ତ ମୃତ ଦେହକୁ ଜବତ କରିଛି । ଫରେନସିକ୍ ଘଟଣା ସ୍ଥଳରେ ପହଁଚି ଛାନଭିନ୍ କରୁଛି । ସେମାନଙ୍କୁ କିଏ ହତ୍ୟା କରିଛି ନା ରୋଜ୍ ଅଲ୍ଲୀ ନିଜେ ସମସ୍ତଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ । ତେବେ ରୋଜ୍ ଅଲ୍ଲୀ କାହିଁକି ଆତ୍ମହତ୍ୟା କରିଥିବେ ତାହା ମଧ୍ୟ ସମ୍ପର୍କିୟ କହି ପାରୁ ନାହାଁନ୍ତି । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।