ରାଜ୍ୟରେ ଥିବା ଭୂମିହୀନ ଓ ବାସହୀନଙ୍କ ଦୁଃଖ ଦୂର ହେବ । କାରଣ ଆଗାମୀ ୫ ବର୍ଷ ପରେ ରାଜ୍ୟରେ ଆଉ କେହି ଭୂମିହୀନ କିମ୍ବା ବାସହୀନ ରହିବେ ନାହିଁ । ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ । ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଯୋଗାଇ ଦିଆଯିବ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ୫ ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସ ହୀନ କେହି ନଥିବେ । ଭୂମିହୀନ ଓ ବାସହୀନମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବ ହିତାଧିକାରୀଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ । ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ । ସହରାଞ୍ଚଳରେ ବସ୍ତି ବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦେଉଛନ୍ତି ସରକାର । ତୃତୀୟରେ ଜଙ୍ଗଲ ଅଧିକାର ଆଇନରେ ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରି ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ସର୍ଭେ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେ କାମ ଏବଂ ଆବଣ୍ଟନ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ । ଆସନ୍ତା ୧୫ ତାରିଖରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।