ଇନ୍ଦୋର, ଅକ୍ଟୋବର ୨୧ (ଖବର ଓଡିଶା) :
ଇନ୍ଦୋରର ବିଜୟନଗର ଅଞ୍ଚଳରେ ଥିବା ଗୋଲେ୍ଡନ ଗେଟ୍ ହୋଟେଲରେ ଆଜି ସକାଳ ଅଚାନକ ଅଗ୍ନିକାଣ୍ଡ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଛି।
ଗୋଲେ୍ଡନ ଗେଟ୍ ହୋଟେଲରେ ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି। ଅଗ୍ନି ନିର୍ବାପକ ବାହିନୀ ଏବଂ ପୁଲିସର ଏକ ଟିମ୍ ଲୋକମାନଙ୍କୁ ଉଦ୍ଧାର କରିବାକୁ ପହଁଚିଛି। ତେବେ ଅଗ୍ନି ସଂଯୋଗ କରିବା ଆଶଙ୍କା କରି ଏହାକୁ ସଂଲଗ୍ନ ଥିବା ଅନ୍ୟ ବିଲ୍ଡିଙ୍ଗରୁ ଲୋକମାନଙ୍କୁ ଖାଲି କରାଯାଇଛି।
ଏହି ହୋଟେଲରେ ସଟ୍ ସର୍କିଟ୍ ଲାଗି ଅଗ୍ନିକାଣ୍ଡ ହୋଇଥିବା ଆଶଙ୍କା କରାଯାଉଛି। ହୋଟେଲର ଏକ ଅଂଶ କାଠରେ ତିଆରି ହୋଇଥିଲା। ଏହି କାରଣରୁ ନିଆଁ ଖୁବ୍ ଶୀଘ୍ର ଧରିଥିଲା। ତେବେ ହୋଟେଲ ବାହାରେ ଲାଗିଥିବା ନିଆଁକୁ ଦମକଳ ବାହିନୀ ନିୟନ୍ତ୍ରଣ କରିଥିବା ବେଳେ ଭିତରର ନିଆଁ ଏଯାଏଁ ଲିଭି ନାହିଁ। ସେପଟେ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି।