ମୁମ୍ବାଇ/ରାଞ୍ଚି: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ଉଭୟ ରାଜ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି କରାଯାଉଛି। ପର୍ଯ୍ୟାୟ କ୍ରମେ ହେଉଥିବା ଭୋଟ୍ ଗଣତି ସମୟ ସମୟରେ ସ୍ଥିତି ନେଇ ଜନସାଧାରଣଙ୍କୁ ଜଣାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।
ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ସମେତ ୧୧ଟି ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ସନ୍ଧ୍ୟ ସୁଦ୍ଧା ପ୍ରକାଶ ପାଇବ। ଏଥି ସହିତ ଏହି ୨ ରାଜ୍ୟରେ ଜନତା କାହାକୁ କ୍ଷମତା ଦେଉଛନ୍ତି ତାହା ସ୍ପଷ୍ଟ ହୋଇଯିବ। ଏହା ପୂର୍ବରୁ ନେତାମାନେ ବିଜୟୀ ହେବା ଆଶାରେ ଦେବାଳୟର ଆଶ୍ରୟ ନେଇଛନ୍ତି। ମନ୍ଦିରରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଦିନ ଆରମ୍ଭ କରିଛନ୍ତି। ସେହିପରି ବିଜୟ ଉତ୍ସବ ପାଳନ ପାଇଁ ମଧ୍ୟ ନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜାତୀୟ ରାଜଧାନୀ ନୂଆଦିଲ୍ଲୀର କିଛି ସ୍ଥାନରେ ଜିଲାପି ବଣ୍ଟନ ପାଇଁ ପ୍ରସ୍ତୁତି ଚାଲିଛି।
ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ମତଦାନ ହୋଇଥିଲା। ୮୧ଟି ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକ୍ଜିଟ୍ ପୋଲ୍ ତଥ୍ୟ ଦୁଇଦିନ ପୂର୍ବରୁ ସାମ୍ନାକୁ ଆସିଛି। ଅଧିକାଂଶ ଏକ୍ଜିଟ୍ ପୋଲ୍ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏନ୍ଡିଏ ସରକାର ଗଠନ ସପକ୍ଷରେ ରହିଛି। କିଛି ଏକ୍ଜିଟ୍ ପୋଲ୍ରେ ଝାଡ଼ଖଣ୍ଡରେ ତ୍ରିଶୂଙ୍ଖଳିତ ସରକାର ଏବଂ ମହାରାଷ୍ଟ୍ରରେ ମହାବିକାଶ ଆଘାଡି ସରକାର ହେବ ବୋଲି ପୂର୍ବାନୁମାନ କରାଯାଇଛି।
ମହାରାଷ୍ଟ୍ରରେ ସଂଖ୍ୟାଗରିଷ୍ଠତା ପାଇଁ ୧୪୫ ଟି ଆସନ ଦରକାର। ୨୦୧୯ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ୧୦୫ଟି ଆସନରେ ବିଜୟୀ ହୋଇଥିଲା। ଶିବସେନାକୁ ୫୬, ଏନସିପିକୁ ୫୪ ଓ କଂଗ୍ରେସକୁ ୪୪ ଆସନ ମିଳିଥିଲା। ସେତେବେଳେ ଶିବସେନା ଓ ଏନସିପି ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇନଥିଲେ। ୨୦୧୯ରେ ଶିବସେନା ଓ ବିଜେପି ଏକାଠି ରାଜ୍ୟ ନିର୍ବାଚନ ଲଢ଼ିଥିଲେ। ଏନସିପି ଓ କଂଗ୍ରେସ ଏକାଠି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଶିବସେନା-ବିଜେପି ମେଣ୍ଟକୁ ବହୁମତ ମିଳିଛି। କିନ୍ତୁ ସିଏମ୍ ଚେହେରା ଯୋଗୁଁ ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପିର ସମର୍ଥନରେ ସରକାର ଗଠନ କରିଥିଲେ। ତେବେ ଏହି ସରକାର ଅଢ଼େଇ ବର୍ଷ ଧରି ଚାଲିଥିଲା। ଶିବସେନା ନେତା ଏକନାଥ ସିନ୍ଦେ ୪୦ ବିଧାୟକଙ୍କ ସହ ବିଦ୍ରୋହ କରି ବିଜେପି ସମର୍ଥନରେ କ୍ଷମତାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ଏନସିପି ମଧ୍ୟ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା। ଅଜିତ ପାୱାର ଶିବିର ସିନ୍ଦେ-ବିଜେପି ସରକାରରେ ସାମିଲ ହୋଇଥିଲା।
୨୦୧୯ ରେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ନଭେମ୍ବର ୩୦ରେ ମତଦାନ ହୋଇଥିଲା ଏବଂ ଫଳାଫଳ ଡିସେମ୍ବର ୨୦ରେ ଆସିଥିଲା। ଝାଡ଼ଖଣ୍ଡରେ ସଂଖ୍ୟାଗରିଷ୍ଠତା ପାଇଁ ୪୨ଟି ଆସନ ଦରକାର। ଗତ ନିର୍ବାଚନରେ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମେଣ୍ଟ ବିଜୟୀ ହୋଇଥିଲା। ସେତେବେଳେ ଜେଏମଏମ ୩୦ଟି ଆସନ ଜିତିଥିବା ବେଳେ ବିଜେପି ୨୫ଟି ଓ କଂଗ୍ରେସ ୧୬ଟି ଆସନରେ ବିଜୟୀ ହୋଇଥିଲା।
ଝାଡ଼ଖଣ୍ଡରେ ଏନଡିଏମରେ ବିଜେପି ୬୮, ଏଜେଏସୟୁ ୧୦, ଜେଡିୟୁରେ ୨ ଓ ଏଲଜେପି-୧ରେ ନିର୍ବାଚନ ଲଢୁଛନ୍ତି। ସେହିପରି ବିଜେପି ମେଣ୍ଟରେ ଜେଏମଏମ ୪୩, କଂଗ୍ରେସ ୩୦, ଆରଜେଡି ୬ ଓ ବାମପନ୍ଥୀ ଦଳ ୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ମହାୟୁତି ମେଣ୍ଟରେ ସାମିଲ ଥିବା ବିଜେପି ୧୪୯, ଶିବସେନା ୮୧ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୫୯ ଆସନରେ ପ୍ରାର୍ଥୀ ଦେଇଛି। ବିରୋଧୀ ମେଣ୍ଟ ଏମଭିଏରେ ଥିବା କଂଗ୍ରେସ ୧୦୧, ଶିବସେନା (ଉବାଥା) ୯୫ ଏବଂ ଏନସିପି (ଶରଦ ଚନ୍ଦ୍ର ପାୱାର) ୮୬ ପ୍ରାର୍ଥୀ ଦେଇଛି। ରାଜ ଠାକରେଙ୍କ ଏମଏନଏସ, ବହୁଜନ ସମାଜ ପାର୍ଟି (ବିଏସପି), ଏସପି ଏବଂ ଏଆଇଏମଆଇଏମ ସମେତ ଛୋଟ ଛୋଟ ଦଳ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି। ରାଜ୍ୟର ୨୮୮ ଟି ଆସନ ପାଇଁ ବିଏସପି ୨୩୭ ଜଣ ଓ ଏଆଇଏମଆଇଏମ ୧୭ ଜଣ ପ୍ରାର୍ଥୀ ଙ୍କୁ ପ୍ରାର୍ଥୀ କରିଛି।
ଅଧିକ ପଢ଼ନ୍ତୁ: କାହାକୁ ମିଳିବ କ୍ଷମତା, କାହାକୁ ବହିଷ୍କାର କରିବେ ଜନତା?