ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଶୁକ୍ରବାର ଦିଲ୍ଲୀରେ ଯୋଗ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଯମୁନା କ୍ରୀଡ଼ା ପରିସରରେ ଯୋଗ କରିବାର ସୌଭାଗ୍ୟ ଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆଜି ଭାରତର ଚାରିଆଡ଼େ ଯୋଗ ହେଉଛି। ସେ କହିଛନ୍ତି ଯେ, ବିଶ୍ବର ସବୁ କୋଣକୁ ଯୋଗ ପହଞ୍ଚି ପାରିଛି।
କେନ୍ଦ୍ରମନ୍ତ୍ରୀ ଡ. ସୁବ୍ରମଣ୍ୟମ ଜୟଶଙ୍କର, ମନସୁଖ ମାଣ୍ଡଭିଆ, ଶିବରାଜ ସିଂହ ଚୌହାନ, ବିଏଲ୍ ବର୍ମା ମଧ୍ୟ ଆଜି ଦିଲ୍ଲୀରେ ଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ବର୍ମା କହିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସ ପୂରା ବିଶ୍ବରେ ଉତ୍ସାହର ସହିତ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଯୋଗକୁ ବିଶ୍ବରେ ପ୍ରସାର କରିବା ପାଇଁ ଉଦ୍ୟମ କରିଛନ୍ତି। ଜନସାଧାରଣଙ୍କ ନିକଟରେ ମୁଁ ଅପିଲ କରୁଛି, ଲୋକେ ପ୍ରତିଦିନ ଯୋଗ ଅଭ୍ୟାସ କରନ୍ତୁ।
କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଯୋଗ କରିବା ପରେ ଗଣମାଧ୍ୟମକୁ କହିଛନ୍ତି, ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଆରମ୍ଭ ହୋଇଥିଲା ଓ ପ୍ରତିବର୍ଷ ବିଭିନ୍ନ ଦେଶରେ ଏହା ହୋଇଆସୁଛି।
ନାଗପୁରରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଓ ବେଙ୍ଗାଲୁରୁରେ ଏଚ୍ଡି କୁମାରସ୍ବାମୀ ଯୋଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଯୋଗ କରିଛନ୍ତି। ସେ କହିଛନ୍ତି, ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ବହୁ ସଂଖ୍ୟାରେ ଲୋକ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ପୂରା ବିଶ୍ବର ଜନତା ଯୋଗକୁ ଗ୍ରହଣ କରିଛନ୍ତି। ଏହା ହେଉଛି ବିଶ୍ବକୁ ଭାରତର ଉପହାର।
ସେହିପରି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଗଜେନ୍ଦ୍ର ସିଂହ ଶେଖାୱତ ଓ ଅଶ୍ବିନୀ ବୈଷ୍ଣବ ଯୋଗ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଇନ୍ଦିରା ଗାନ୍ଧୀ ଜାତୀୟ ବନ ଏକାଡେମୀରେ ଭୂପେନ୍ଦ୍ର ଯାଦବ ଯୋଗ କରିଛନ୍ତି। ତେଲେଙ୍ଗାନା ବିଜେପି ମୁଖ୍ୟ ଓ କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ହାଇଦ୍ରାବାଦର ବସିରବାଗସ୍ଥିତ ନିଜାମ କଲେଜ ପଡ଼ିଆରେ ଯୋଗ କରିଛନ୍ତି। କେରଳର କୋଭାଲମସ୍ଥିତ ଆଟ୍ର୍ସ ଆଣ୍ଡ କ୍ରାଫ୍ଟ ଗ୍ରାମରେ ସୁରେଶ ଗୋପୀ ଯୋଗ କରିଛନ୍ତି।