ବଳ ଗୋଟାଉଛି ବାତ୍ୟା ବୁଲବୁଲ: ଭୟଙ୍କର ଭାବେ ଘଣ୍ଟାପ୍ରତି ୧୫କିମି ବେଗରେ ଚାଲିଛି, ବର୍ତ୍ତମାନ ପାରାଦୀପଠାରୁ ୯୫ କିମି ଦୂରରେ
Khabar Odisha:State-Odisha-Cyclone-Bulbul-Effect-in-Odisha-95km-distance-from-Paradeep
ଭୁବନେଶ୍ୱର, ନଭେମ୍ବର ୦୯(ଖବର ଓଡ଼ିଶା):

ଓଡ଼ିଶା ଉପକୂଳ ଆଡ଼କୁ ପାଖଉଛି ଭୟଙ୍କର ବାତ୍ୟା ବୁଲବୁଲ । ବର୍ତ୍ତମାନ ସୁଦ୍ଧା ବୁଲବୁଲ ପାରାଦୀପଠାରୁ ୯୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟା ବୁଲବୁଲ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି ।

ୟଙ୍କର ବାତ୍ୟା ବୁଲବୁଲ ଓଡ଼ିଶା ଉପକୂଳ ଦେଇ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିବ । ଆଜି ରାତିରେ ଏହି ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ । ପାଣିପାଗ ବିଭାଗର ସୂଚନାନୁସାରେ, ବୁଲବୁଲ ପାରାଦୀପଠାରୁ ୯୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବର୍ତ୍ତମାନ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି ବାତ୍ୟା ବୁଲବୁଲ । ଏହା ପ୍ର୍ରଭାବରେ ଗତକାଲି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ସକାଳ ଠାରୁ ଏହି ସବୁ ସ୍ଥାନରେ ବର୍ଷା ଓ ପବନର ବେଗ ମଧ୍ୟ ବଢିଛି । ପ୍ରବଳ ବର୍ଷା ପବନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି ।

୨୪ ଘଣ୍ଟା ଭିତରେ ରାଜନଗରରେ ୧୮୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୭୫.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକ ଚାନ୍ଦବାଲିରେ ୧୫୦ ମିମି ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରାପଡ଼ା ରାଜକନିକାରେ ୧୩୬ ମିମି ବର୍ଷା, ଜଗତସିଂହପୁରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି । ଭଦ୍ରକର ଧାମରା ଓ ଚାନ୍ଦବାଲିରେ ୭୦ କିମି ବେଗରେ ବହୁଛି ପବନ, ଚାନ୍ଦବାଲି ବ୍ଲକ୍‌ରେ ୪୦୦ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି ।

ବାସୁଦେବପୁର-ଧାମରା ରାସ୍ତାରେ ଗଛ ପଡ଼ିଥିବା ଜଣାପଡ଼ିଛି । ରାସ୍ତା ସଫା କରିବାକୁ ବାସୁଦେବପୁରରୁ ଏନଡିଆରଏଫ ଟିମ୍ ପଠାଯାଇଛି । ବାସୁଦେବପୁର ବ୍ଲକ୍‌ରେ ୨୦ ଜଣ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି । ଏନଡିଆରଏଫ ଓ ଓଡ୍ରାଫ ଟିମ ଗଛ କାଟିବା ଓ ରାସ୍ତା ସଫେଇ କାମରେ ନିୟୋଜିତ ହୋଇଛନ୍ତି । ସେହିପରି ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଅନେକ ଗଛ ଉପୁଡିଥିବା ମଧ୍ୟ ସୂଚନା ମିଳିଛି । ଏହି ସବୁ ସ୍ଥାନରୁ ୨,୫୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment