ବର୍ଲିନ: ଚମତ୍କାର ପ୍ରଦର୍ଶନ ରକି ସ୍ପେନ୍ ୟୁରୋକପ୍-୨୦୨୪କୁ ହାତେଇଛି। ଜର୍ମାନୀର ବର୍ଲିନରେ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡକୁ ୨-୧ ଗୋଲରେ ପରାସ୍ତ କରିଛି ଚତୁର୍ଥ ଥର ପାଇଁ ଚାମ୍ପିଅନ ହୋଇଛି। ଫଳରେ ଇଂଲଣ୍ଡକୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ସ୍ପେନ ଏହା ପୂର୍ବରୁ ୧୯୬୪, ୨୦୦୮ ଓ ୨୦୧୨ରେ ୟୁରୋପିଅନ ଚାମ୍ପିଅନ୍ସିପ ନିଜ ନାମରେ କରିଥିଲା।
ସ୍ପେନ ୟୁରୋପକନର ସବୁଠୁ ସଫଳ ଟିମ ହୋଇଛି। ଜର୍ମାନୀ ୩ଟି ଟାଇଟଲ ସହିତ ଦ୍ବିତୀୟ ନମ୍ବରରେ ତିବା ବେଳେ ଇଂଲଣ୍ଡ ଦ୍ବିତୀୟ ଥର ଫାଇନାଲରେ ପହଞ୍ଚିଥିଲା। ଏହା ପୂର୍ବରୁ ୨୦୨୦ର ସଂସ୍କରଣରେ ଇଟାଲି ଠାରୁ ପରାସ୍ତ ହୋଇଥିଲା। ଇଂଲଣ୍ଡ ଏହି ଚାମ୍ପିଅନଶିପର ୬୬ ବର୍ଷର ଇତିହାସରେ ଗୋଟିଏ ଥର ମଧ୍ୟ ଚାମ୍ପିଅନ ହୋଇପାରି ନାହିଁ। ଫଳରେ ଏହି ଦେଶର ପ୍ରଶଂସକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ସ୍ପେନ୍ ପ୍ରଥମ ଦଳ ଭାବେ ଚାରିଟି ୟୁରୋ କପ୍ ଟ୍ରଫି ଜିତିବା ପରେ ଏହି ଦେଶ ଉତ୍ସବମୁଖର ହୋଇଛି।
ବର୍ଲିନର ଅଲିମ୍ପିଆ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍ପେନ୍ ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ଟ୍ରଫି ଜିତିବା ସଂଖ୍ୟାଠାରୁ ଫାଇନାଲ୍ ଖେଳିବାର ଅଭିଜ୍ଞତା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ଇଂଲଣ୍ଡଠୁ ସ୍ପେନ୍ ଆଗୁଆ ଥିଲା। ଏହାର ପ୍ରତିଫଳନ ମଧ୍ୟ ପୂରା ମ୍ୟାଚ୍ରେ ଦେଖିବାକୁ ମିଳିଥିଲା। ଲଗାତାର ଦ୍ବିତୀୟ ଫାଇନାଲ୍ ଖେଳିଥିବା ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେଇଥିଲା। ସ୍ପେନ୍ ଅଗ୍ରଭାଗ ଖେଳାଳିଙ୍କ ପ୍ରତିଟି ଚାଲ୍କୁ ଇଂଲଣ୍ଡ ରକ୍ଷଣଭାଗ ଆଗୁଆ ଠଉରାଇ ମ୍ୟାଚ୍ରେ ରୋମାଞ୍ଚ ଭରି ଦେଇଥିଲା।