ଅନୁଗୁଳ, ସେପ୍ଟେମ୍ବର ୧୨(ଖବର ଓଡ଼ିଶା):
ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହେବା ପରେ ସେଠାକାର ଲୋକମାନେ ଏହାକୁ ନେଇ ତୁମୁଳକାଣ୍ଡ ଘଟାଇଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ଟିକରପଡା ରେଞ୍ଜ ଅଫିସ, ହାତୀବାରୀ ବିଟ୍ ହାଉସ ଓ ୫ଟି ବୋଟରେ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏହାସହ ଟାୟାର ଜାଳି ହାତୀବାରୀ ନିକଟରେ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। ଫଳରେ ଟିକରପଡା ଓ ଅନୁଗୁଳ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ଅଭିଯୋଗ ଅନୁଯାୟୀ, ଆଜି ସକାଳେ ଆଜି ସକାଳେ ଟିକରପଡ଼ା ରେଞ୍ଜ ହାତୀବାରିର କୈଳାଶ ସାୟା ଗାଁ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ବାଘୁଣୀ ଟେକି ନେଇ ଖାଇଯାଇଥିଲା। ତେବେ ଘରକୁ ଫେରିବାରେ ବିଳମ୍ୱ ହେବାରୁ କୈଳାଶଙ୍କ ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ଏହା ପରେ ତାଙ୍କ କ୍ଷତବିକ୍ଷତ ମୃତଦେହ ଜଙ୍ଗଲ ଭିତରେ ଦେଖିବାକୁ ମିଳିଥିଲା।
ତେଣୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ଲଙ୍କାକାଣ୍ଡ ଘଟାଇଥିବା ସୂଚନା ମିଳିଛି। ପୂର୍ବରୁ ଅନେକ ଥର ବାଘୁଣୀ ଆକ୍ରମଣରେ ଅଭୟାରଣ୍ୟର ଆଖପାଖ ବାସୀନ୍ଦା ଆହତ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ବନ ବିଭାଗ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିଲେ । ଏହି କାରଣରୁ ଉତ୍ୟକ୍ତ ହୋଇ ଲୋକମାନେ ଏଭଳି କାଣ୍ଡ ଘଟଇଥିବା ଜଣାପଡ଼ିଛି।