ବିଜେପି ସରକାରକୁ ଆସିଲେ ସବୁ ଜିଲ୍ଲାରେ ମେଡିକାଲ କଲେଜ୍ ଓ ବିଇଡି କଲେଜ୍ ସହ ହେବ ରେଳ ସଂଯୋଗ: ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Politics-odisha-when-BJP-come-to-power-medical-collage-and-bed-collage-formation-in-all-district-says-dharmendra-pradhan
ରେଢାଖୋଲ/ରେଙ୍ଗାଲି/କୁଚିଣ୍ଡା, ଏପ୍ରିଲ୧୯(ଖବର ଓଡ଼ିଶା):

ଓଡିଶାରେ ବିଜେପି ସରକାରକୁ ଆସିଲେ ରାଜ୍ୟରେ ବିକାଶର ଗଙ୍ଗା ବୋହିବ । ଓଡିଶାରେ ଅନେକ ବିକାଶମୂଳକ ଯୋଜନା ଯଥା ରାଜ୍ୟର ୩୦ଟି ଜିଲ୍ଲାରେ ମେଡିକାଲ କଲେଜ୍, ବି.ଇଡି କଲେଜ୍ ତିଆରି କରାଯିବା ସହ ସବୁ ଜିଲ୍ଲାରେ ରେଳ ସଂଯୋଗ ହେବ ବୋଲି ସମ୍ବଲପୁର ଜିଲ୍ଲା ରେଢାଖୋଲ, ରେଙ୍ଗାଲି ଓ କୁଚିଣ୍ଡାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।  

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ୧୫ ବର୍ଷରୁ କମ ଝିଅଙ୍କୁ ଦୁଷ୍କର୍ମ କରୁଥିବା ଲୋକଙ୍କୁ ଫାଶୀଦଣ୍ଡ ଦିଆଯିବାର ଆଇନ ଅଣାଯିବ, ପ୍ରତ୍ୟେକ ଲୋକଙ୍କୁ ୨୦୨୨ ସୁଦ୍ଧା ସ୍ଥାୟୀ ପଟ୍ଟା ଓ ପକ୍କା ଘର  ଦିଆଯିବ, ଘରକୁ ୨୪ ଘଂଟା ପାଣି ଓ ବିଜୁଳି ସଂଯୋଗ କରାଯିବ, ପ୍ରତ୍ୟେକ ବର୍ଗର ଶ୍ରମିକଙ୍କୁ ୬୦ ବର୍ଷ ପରେ ୩ ହଜାର ଟଙ୍କାର ପେନ୍ସନ୍ ଦିଆଯିବାର ବ୍ୟବସ୍ଥା କରାଯିବ, ଯୁକ୍ତ ୨ ମେଧାବୀ ଛାତ୍ରୀଙ୍କୁ ସ୍କୁଟିି ମିଳିବ, ଏସଏସଜି ମହିଳାଙ୍କ ଋଣ ଛାଡ ସହ ବିନା ସୁଧରେ ଋଣ  ଦିଆଯିବ, ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ, ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ଆଗାମୀ ୫ ବର୍ଷ ପାଇଁ ଜଳସେଚନର ବ୍ୟବସ୍ଥା କରାଯିବ, ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଂଚଳରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାରର ଭିତିଭୂମି ତିଆରି କରାଯିବ, ୧୫ଟି ପର୍ଯ୍ୟଟନ ସର୍କିଟ୍ କରାଯିବ, ୧୫ଟି ବନ୍ଦର ନିର୍ମାଣ କରାଯିବ, ସବୁ ପୂଜାରୀମାନଙ୍କୁ ପୂଜାରୀ ବନ୍ଧୁ ଯୋଜନାରେ ମାସିକ ସହାୟତା ରାଶି ଦିଆଯିବ, ଯୁବକ ଯୁବତୀଙ୍କୁ ରୋଜଗାର ଦିଆଯିବ, ଆଗାମୀ ୨ ବର୍ଷ ମଧ୍ୟରେ ଖାଲିଥିବା ସବୁ ସରକାରୀ ପଦବୀକୁ ପୂରଣ କରାଯିବ, ପ୍ରତି ପରିବାରର ଜଣଙ୍କୁ ରୋଜଗାର ଓ ସ୍ୱରୋଜଗାର କରିବାର ନିଶ୍ଚିତ ଗ୍ୟାରେଂଟି ଦିଆଯିବ, ଅଙ୍ଗନାବାଡି କର୍ମୀଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ଦିଆଯିବ, ସହାୟିକାଙ୍କ ଦରମା ୯ ହଜାର ଟଙ୍କା କରାଯିବ । ସେହିପରି ଚିଟଫଣ୍ଡରେ ସଂଶ୍ଲିଷ୍ଟ ଓ ଖଣି ଦୁର୍ନୀତିରେ ଲିପ୍ତ ଥିବା ସମସ୍ତଙ୍କୁ ତିନି ମାସ ମଧ୍ୟରେ ସମସ୍ତଙ୍କୁ ଜେଲ୍ ପଠାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିିଶ୍ରୁତି ଦେଇଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦି ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି । ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି । ମୋଦି ପଇସାରେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ପରଘର ତିଅଣରେ ଅତିଥି ସକ୍ରାର କରିବାର ଚାଲାକି ନବୀନ ବାବୁଙ୍କୁ ଜଣା । ରାଜ୍ୟରେ ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ । ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ଅପପୃଷ୍ଟି ଏବଂ କୁପୋଷଣର ଶୀକାର ହୋଇଥିବା ବେଳେ ଏହାର ଦାୟିତ୍ୱ ବିଜେପି ନେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ପଟେ ୧୯ ବର୍ଷର ପ୍ରବଂଚନା, ଠକାମୀ, ଦୁର୍ନୀତି, ସମ୍ବେଦନହୀନତା ଓ ଗୋଟିଏ ପଟେ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ଯୋଜନା । ଓଡିଶାରେ ୧୯ ବର୍ଷ ଲମ୍ବା ଶାସନର ଦାୟିତ୍ୱ ପରେ ମଧ୍ୟ ଏ ଅଂଚଳରେ ମା’ଭଉଣୀଙ୍କ ପାଇଁ ମୁନ୍ଦେ ଶୁଦ୍ଧ ପିଇବା ପାଣି ନାହିଁ, ୨୪ ଘଂଟା ବିଜୁଳି ନାହିଁ,  ଡାକ୍ତର ନାହାଁନ୍ତି, ସରକାରୀ ସ୍କୁଲରେ ଶିକ୍ଷକ ନାହାଁନ୍ତି, ବ୍ଲକଗ୍ରାଂଟ, ଶିକ୍ଷକ ସହାୟିକାଙ୍କୁ ଦରମା ମିଳୁନି, ଜଳସେଚନରର ବ୍ୟବସ୍ଥା ନାହିଁ, ରୋଜଗାରର ଉପଲବ୍ଧ ନାହିାଁ ଅନ୍ୟପଟେ ମୋଦି ତାଙ୍କ ୫ ବର୍ଷରେ ଓଡିଶାକୁ ୧୦ ଲକ୍ଷ ଘର ଦେଇଛନ୍ତି, ୫୦ ଲକ୍ଷ ପାଇଖାନା, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଛନ୍ତି, ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି । ମୋଦି ଘର ଓ ଶୌଚାଳୟ ପାଇଁ ପଇସା ପଠାଇଥିବା ବେଳେ ଏଠାରେ ପିସି କାରବାର ହେଉଛି ।   

ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାଧାରଣ ଚାଷୀମାନେ ଲାଭ ପାଉନାହାଁନ୍ତି । ରେଙ୍ଗାଲୀ ଅଂଚଳର ଫକୀର ମୋହନ ସାହୁ କାଳିଆ ଟଙ୍କା ପାଇନାହିଁ । ବିଜେଡିର ଦଲାଲ ଓ ମନ୍ତ୍ରୀମାନଙ୍କ ପରିବାରଗଣ କାଳିଆର ଲାଭାର୍ଥୀ ହୋଇଛନ୍ତି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ନବୀନ ବାବୁ ଚାଷୀଙ୍କ ତାଲିକା ଦେଇନାହାନ୍ତି । ସେହିପରି ନରେନ୍ଦ୍ର ମୋଦିଙ୍କ ଉପରେ ଇର୍ଷାନ୍ୱିତ ହୋଇ ନବୀନ ବାବୁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି । 

ଏହି ନିର୍ବାଚନ ସାଂସଦ ଓ ବିଧାୟକ ପାଇଁ ନୁହେଁ, ଚାଷୀ, ଯୁବପିଢୀ, ଶିଶୁଙ୍କ ଭବିଷ୍ୟତ, ମହିଳାଙ୍କ ସରକ୍ଷା, ଦେଶର ସୀମାକୁ କିଏ ସୁରକ୍ଷିତ ରଖିବ, ପାକିସ୍ତାନକୁ କିଏ ଧୂଳି ଚଟାଇବା ତାହାର ନିର୍ବାଚନ ଶ୍ରୀ ପ୍ରଧାନ କହିଛନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

  • Tags:

Subscribe

National International State Sports Entertainment