ଏକଜିଟ୍ ପୋଲ ଦେଖି ବିଜେଡିର ସଙ୍କେତ, ସାମିଲ ହୋଇପାରେ ଏନଡିଏରେ
Khabar Odisha:Politics-odisha-bjd-makes-it-clear-whoever-forms-government-in-center-we-will-supoort-them
ଭୁବନେଶ୍ଵର,ମେ୨୦(ଖବର ଓଡ଼ିଶା):

ଲୋକସଭା ନିର୍ବାଚନର ଏକଜିଟ୍ ପୋଲ ଦେଖି ଆଞ୍ଚଳିକ ଦଳ ମେ ୨୩ ଫଳାଫଳ ପରେ ନିଜର ରଣନୀତି  ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ସର୍ବଦା ସମଦୂରତା କହୁଥିବା ବିଜେଡି ଏବେ ଏକଜିଟ୍ ପୋଲ ଦେଖିବା ପରେ ବ୍ୟାକଫୁଟରେ ଅଛି। ଯଦି ଏକଜିଟ୍ ପୋଲର ଫଳାଫଳ ମେ ୨୩ର ପ୍ରକୃତ ଫଳାଫଳଠୁ ଭିନ୍ନ ରହେ ତେବେ ତେବେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସବୁ ବିରୋଧୀ ରଣନୀତି ପ୍ରସ୍ତୁତ କରିବାରେ ଜୁଟି ଯାଇଛନ୍ତି। ମାତ୍ର ପ୍ରକୃତ ଫଳାଫଳ ନଆସିବା ପୂର୍ବରୁ ଓଡ଼ିଶାର ଶାସକ ପାର୍ଟି ବିଜେଡି ଏନଡିଏ ପ୍ରତି ଢଳୁଥିବା ନଜର ଆସିଛି। ଏହି କ୍ରମରେ ବିଜେଡି ସଙ୍କେତ ଦେଇଛି ଯେ, ଯଦି ମେ ୨୩ର ଫଳାଫଳ ଏକଜିଟ୍  ପୋଲ ହିସାବରେ ହୁଏ ଏବଂ ଏନଡିଏ କ୍ଷମତାକୁ ଫେରେ ତେବେ ବିଜେଡି ସରକାରରେ ସାମିଲ ହୋଇପାରେ। ବିଜେଡ଼ିର ବରିଷ୍ଠ ମୁଖପାତ୍ର ଅମର ପଟ୍ଟନାୟକ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ସହ ଆଲୋଚନା ବେଳେ ଏହା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବାତ୍ୟା ଫୋନିର ମୁକାବିଲା ସମୟରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସଂପର୍କ ନିବିଡ଼ ହୋଇଥିବା ଦେଖିବାକୁ ମିଳିଛି। ଓଡ଼ିଶା ଗସ୍ତ ସମୟରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମାଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଫୋନିର ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ମଧ୍ୟ କରିଥିଲେ।

ବିଜେଡି ମୁଖପାତ୍ର ସୋମବାର କହିଛନ୍ତି ଯେ, ଆମେ ସେହି ମେଣ୍ଟକୁ ସମର୍ଥନ ଦେବୁ ଯିଏ ଆମର ନ୍ୟାର୍ଯ୍ୟ  ଦାବି ପୂରଣ କରିବ। ଯଦି ଏନଡିଏ ସରକାର ଗଠନ କରେ ତେବେ ଆମେ ସମର୍ଥନ ଦେଇପାରୁ। ଏହା ସହିତ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଉପରେ ଯିଏ ଗୁରୁତ୍ଵ ଦେବ ତା ସହିତ ଆମେ ରହିବୁ ବୋଲି ମୁଖପାତ୍ର କହିଛନ୍ତି। ମୁଖପାତ୍ର ଅମର ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପାର୍ଟି ସେହି ଦଳ କିମ୍ବା ମେଣ୍ଟକୁ ସମର୍ଥନ କରିବ ଯିଏ କେନ୍ଦ୍ରରେ ସରକାର ଗଠନ କରିବା ସ୍ଥିତିରେ ରହିବ।

ଅମର ପଟ୍ଟନାୟକ କହିଛନ୍ତି ଯେ, ଆମେ ସମ୍ଭବତଃ ସେହି ପାର୍ଟି କି ମେଣ୍ଟକୁ ସମର୍ଥନ ଦେବୁ ଯିଏ କେନ୍ଦ୍ରରେ ସରକାର ଗଠନ କରିବା ସ୍ଥିତିରେ ରହିବ। ମାତ୍ର ଏହି ମେଣ୍ଟରେ ସର୍ତ୍ତ ମଧ୍ୟ ରହିବ। ଯେଉଁ ଦଳ ସରକାର ଗଠନ ପରେ ଓଡ଼ିଶାର ଦାବିକୁ ପୂରଣ କରିବାକୁ ଉଦ୍ୟମ କରିବ, ଆମେ ତାଙ୍କୁ ସମର୍ଥନ ଦେବୁ।

ସୂଚନାଯୋଗ୍ୟ, ରବିବାର ଶେଷ ପର୍ଯ୍ୟାୟ ମତଦାନ ପରେ ସନ୍ଧ୍ୟାରେ ଆସିଥିବା ଏକଜିଟ୍ ପୋଲରେ କେନ୍ଦ୍ରରେ ଏନଡିଏ ସରକାର ଗଠନ କରୁଥିବା ସଙ୍କେତ ମିଳିଛି। ଏକଜିଟ୍ ପୋଲ ମୁତାବକ ଓଡ଼ିଶାରେ ୨୧ ଲୋକସଭା ସିଟରେ ବିଜେପିକୁ ୧୨ ଓ ବିଜେଡିକୁ ୮ ସଟ ମିଳିପାରେ। ପ୍ରାୟତଃ ସବୁ ଏକଜିଟ୍ ପୋଲରେ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳୁଥିବା ଦେଖିବାକୁ ମିଳିଛି। ଏବେ ମେ ୨୩ରେ ଫଳାଫଳକୁ ନେଇ ସଭିଙ୍କ ନଜର। 

Subscribe

National International State Sports Entertainment